ଆଧୁନିକ ପରିବାର
ଆଧୁନିକ ପରିବାର


ଦାମୁ ଖଟିଆଟିରେ ବସି ଭାବୁଛି, ପୁଣି ସେହି ସମୟ ସେହି ପରିବାର ସେହି ସ୍ନେହ ମମତା ଫେରି ଆସନ୍ତା କି? ଆମେ ଯେମିତି ଏକାଠି ବସି ଖାଉଥିଲୁ, ପରିବାରର ସବୁ ସଦସ୍ୟ ମିଶି ଟେଲିଭିଜନ ପାଖରେ ବସି ଆନନ୍ଦ ନେଉଥିଲୁ, ପିଲାମାନଙ୍କ ପାଇଁ ପ୍ରତିଦିନ ସମୟ ଦେଉଥିଲୁ, କାହାର ଦେହ ଖରାପ ହେଲେ ପୁନେଇଁ ପରବ ହେଲେ ସମସ୍ତେ ଏକାଠି ହେଉଥିଲୁ, ଡାକଵାଲାର ସାଇକେଲର ଘଣ୍ଟିକୁ କାନେଇ ଶୁଣୁଥିଲୁ, ଘରକୁ କିଏ ଆସିଲେ ଅତି ଆନନ୍ଦରେ ଅତିଥି ଭଗବାନ କହି ସତ୍କାର କରୁଥିଲୁ, ପୂଜା ପର୍ବରେ ନୂଆ ଡ୍ରେସ ପିନ୍ଧି ଗୁରୁଜନଙ୍କୁ ପ୍ରଣାମ କରୁଥିଲୁ, ସନ୍ଧ୍ୟା ସକାଳେ ଠାକୁର ପାଖରେ ପ୍ରଣାମ କରି ପାଠ ପଢ଼ୁଥିଲୁ, ଗୁରୁଜନଙ୍କୁ ସନମାନ କରୁଥିଲୁ, ଖେଳ ପଡିଆରେ ବଗିଚାରେ ସାଙ୍ଗ ସାଥିରେ ବୁଲୁଥିଲୁ, ଗୋସେଇଁ ମାଆବାପା ଆଉ ଅଜାଆଈ ପାଖରେ ବସି କାହାଣୀ ଶୁଣୁଥିଲୁ । ଏମିତି କେତେ ବିଷୟରେ ଭାବୁଛି ଦାମୁ !
କେତେବେଳେ ଆଖିର ଲୁହକୁ ପୋଛି ଦେଉଛି ପୁଣି କେତେବେଳେ ପାକୁଆ ପାଟିରେ ମୁରୁକି ମୁରୁକି ହସି ଦେଉଛି । ପୁଣି ଡାକ ଛାଡ଼ୁଛି ଆରେ ନାତିଆରେ ପାଖକୁ ଟିକେ ଆସେ ମୋବାଇଲ ଧରି କ’ଣ ଲାଭ ପାଇବୁ, ମୁଁ ତୋତେ ବହୁତ କଥା କହିବାର ଅଛି, ବହୁତ ବିଷୟରେ ଶିଖେଇବାର ଅଛି ।
ବୈଠକ ଘରୁ ଲିଙ୍କନ ଚିଲାଉଅଛି ଜେଜେ କେତେ ଥର କହିବି ନାତିଆ ବୋଲି ଡ଼ାକିବନି ମୋ ନା ଜାଣିନ କି? ମୁଁ ମୋବାଇଲରୁ ପରା ପାଠ ପଢୁଛି ତମେ ଯାହା ଜାଣିନ ମୋବାଇଲରେ ସବୁ ଅଛି । ମମି, ଡାଡି ଚାକିରୀ ପାଇଁ ଯାଇଛନ୍ତି ତମେ ବେଶି ବକର ବକର ହୁଅନି ଚୁପଚାପ ବସ । କାହା ପାଖରେ ସମୟ ନାହିଁ । ମମି ଡାଡି କହୁଥିଲେ ପଇସା ନଥିଲେ କିଛି କରିହେବନି ।
ବୁଢ଼ା ଦାମୁ ଦୀର୍ଘ ନିଶ୍ୱାସ ଛାଡି ମନେମନେ କହୁଛି ବାପରେ ମୋବାଇଲରୁ ପଢ଼ୁଛୁ ତ ଫେଲ କାହିଁକି ହଉଛୁ । ମୋ ପୁଅବୋହୂ ନାତିଆକୁ ତ ମଣିଷ କରିପାରିଲେନି ପଇସା ଅର୍ଜି କ’ଣ କରିବେ? ଜାଣି ନାହାନ୍ତି ପିଲା ଯୋଗ୍ୟ ହେଲେ ଧନର ଆବଶ୍ୟକତା ନାହିଁ ଅଯୋଗ୍ୟ ହେଲେ ଧନର ଆବଶ୍ୟକତା ନାହିଁ । ହେ ଭଗବାନ ମୋ ପରିବାରକୁ ଘଣ୍ଟ ଘୋଡେଇ ରଖିଥା । ମୋ ନାତିଆକୁ ଭଲ ବୁଦ୍ଧି ଦିଅ ଭଲ ମଣିଷ କର ମନ୍ଦିରରେ ଶହେଆଠ ନଡ଼ିଆ ଭାଙ୍ଗିବି ।
ଏମିତି ଭାବୁଭାବୁ ଦାମୁ ଖଟିଆଟିରେ ଶୋଇ ଯାଇଛି । ହଟାତ ସାଙ୍ଗ ହରିଆର ଡାକରେ ଦାମୁ ଉଠି ବସିଲା । ଦୁଇ ସାଙ୍ଗ ମିଶି ଦୁଃଖସୁଖ ହେଲେ ଦାମୁ କହିଲା କି ମୋବାଇଲ ଯୁଗ ହେଲା ପରିବାର ନାରଖାର ହୋଇଯାଉଛି । ମାଆ ବାପା ପିଲା ସମସ୍ତଙ୍କ ହାତରେ ମୋବାଇଲ କିଏ କାହା କଥା ବୁଝିବା ପାଇଁ ସମୟ ନାହିଁ । ପିଲାମାନେ ମୋବାଇଲ ଧରିଲେ ସିନେମା ଗୀତ ଦେଖିଲେ ମଦ ମାଂସ ଖାଇଲେ ।
ହରିଆ କହିଲା, ହଁ ରେ ସାଙ୍ଗ ସମସ୍ତେ ଟଙ୍କା ପଛରେ ଧାଇଁଲେ କାହାର କାହା ପ୍ରତି ଆସକ୍ତ ନାହିଁ ଯେତେବେଳେ ଦେଖ ପାର୍ଟି, ହାଏ ବାଏ,ନା ପିନ୍ଧିବାରେ ଢଙ୍ଗ ଅଛି ନା ଖାଇବାରେ ଢଙ୍ଗ । ସବୁବେଳେ ଝଗଡା ପରିବାର ପାଇଁ କାହା ପାଖରେ ସମୟ ନାହିଁ । ପିଜା, ବର୍ଗର, ରୋଲ ଖାଇଲେ । ଫ୍ରିଜର ବାସି ଖାଦ୍ୟ ଖାଇଲେ । ଶାଶୁ ଶ୍ୱଶୁର ପାଇଁ ସମୟ ନାହିଁ । ପିଲାମାନଙ୍କ କାମ କାମବାଲି କରୁଛି । ପିଲାମାନଙ୍କୁ ପାଠ ପଢେଇବାକୁ ବି ସମୟ ନାହିଁ କହୁଛନ୍ତି ଆମ କଥା ଶୁଣୁ ନାହାନ୍ତି । ପିଲାମାନେ ବାପମାଆ କଥା ଶୁଣିବେନି ତ କାହା କଥା ଶୁଣିବେ । ଆମେ ତ ଘରେ ପିଲାମାନଙ୍କୁ ପଢ଼ାଉଥିଲେ ।
ଦାମୁ କହିଲା, ହଉରେ ସାଙ୍ଗ ଯୁଗ ବଦଳିଲା ଆମକୁ ବି ସମୟ ସାଥିରେ ବଦଳିବାକୁ ପଡିବ ଆମେ ଆଉ କେତେଦିନ ବଂଚିବା ଶୁଖିଲା ପତର କେତେବେଳେ ଝଡ଼ିଯିବା । ମଣିଷ ନୂଆନୂଆ ଯନ୍ତ୍ରପାତି ବାହାର କଲା ସବୁ ସହଜ ସୁବିଧା ହେଲା କିନ୍ତୁ ଯଦି ଯନ୍ତ୍ରପାତିର ସଦୁପଯୋଗ ନକଲା ତାହେଲେ ପରିବାର ନଷ୍ଟ ହୋଇଯିବ ।
ହଁ ରେ ସାଙ୍ଗ ଆମେ ବୁଢା ହେଲେଣି ଆମ କଥା ଶୁଣିବ କିଏ?
ମୋ ନାତୁଣୀଟା ପରା ମୋତେ ଚକଲେଟ ଆଣିବାକୁ କହିଥିଲା କାନ୍ଦୁଥିବ ମୁଁ ଘରକୁ ଯାଉଛି ।