ମୁଁ ବି ଅନୁପ୍ରେରିତ
ମୁଁ ବି ଅନୁପ୍ରେରିତ
ସମୟର କାଳ ଚକ୍ରରେ ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସ୍ମୃତି ଅଭୁଲା ହୋଇରହିଯାଏ, କିଛି ସ୍ମୃତି ଅମାବାସ୍ୟା ପରି ଅନ୍ଧକାର ତ ଆଉ କିଛି ରୂପାଜହ୍ନ ପରି ଉଜ୍ଜଳ ।କିଛି ସ୍ମୃତି ମନରେ ଉନ୍ମାଦ ଆଣିଦିଏ ତ କିଛି ମନରେ ବିଷାଦ ଭରିଦିଏ । ଦୁଃଖ ଓ ସୁଖକୁ ନେଇ ମଣିଷ ଜୀବନ ।କିଛି ଲୋକ ଦୁଃଖକୁ ସାରା ଜୀବନ ଆବୋରି ଦୁଃଖ ପାଆନ୍ତି, କିଛି ଲୋକ ଦୁଃଖ ଭିତରେ ସୁଖକୁ ଅନୁଭବ କରି ଆନନ୍ଦ ପାଆନ୍ତି । ସଫଳତା ବିଫଳତା ମଧ୍ୟରେ ସମସ୍ତଙ୍କ ଜୀବନ ଅତିବାହିତ ହୁଏ ।କିଏ ନିରାଶ ହୋଇ ଭାଙ୍ଗିପଡେ ତ କିଏ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରେ ।
ଗୀତା ଜୀବନରେ ଏମିତି ଗୋଟେ କାହାଣୀ ଅଛି ଯାହା ଭାବିଦେଲେ ଲାଗେ ମୁଁ ତା ଠାରୁ କିଛି ଶିଖିଥାନ୍ତି କି? ସତରେ କେତେ ମହାନ ସିଏ ।କେତେ ଧର୍ଯ୍ୟ ତାର ।ଏତେ ଦୁଃଖ ଯନ୍ତ୍ରଣାର ଜୀବନକୁ ହସିହସି ଆପଣେଇ ପାରୁଛି ।ଏତେ ପ୍ରତିବନ୍ଧକ ଭିତରେ ସଂସାର ସହ ଲଢ଼ିବାର ନିଜ ଗାଁର ଉନ୍ନତି ପାଇଁ କିଛି କରିବାର ଆପ୍ରାଣ ଚେଷ୍ଟା ଗୀତା ଠୁଁ ଶିଖିବା କଥା । ତାର ସହନଶୀଳତା ଦେଖି ମୁଁ ଏତେ ଅନୁପ୍ରେରିତ ହୋଇଗଲି ଯେ ମୋ କଲମ ଆପେ ଆପେ ଲେଖି ହୋଇଯାଉଛି ଏବଂ ଷ୍ଟୋରୀମିରର ଏକ ମାଧ୍ୟମ ଯାହା ଦ୍ୱାରା ସମସ୍ତଙ୍କ ପାଖରେ ପହଂଚିବା ପାଇଁ ସୁଯୋଗ ହୋଇ ଯାଉଛି ।
ସ୍ୱାମୀ, ଶାଶୁ, ଶ୍ୱଶୁର ଗୋଟିଏ ସନ୍ତାନକୁ ନେଇ ଗୀତାର ଛୋଟ ସଂସାରଟି ଦୁଃଖ ସୁଖ ମଧ୍ୟରେ ଅତିବାହିତ ହେଉଥିଲା ।ଉଚ୍ଚ ଶିକ୍ଷିତା ନହେଲେବି ମାଟ୍ରିକ ପାସ କରି ଥିଲା ।ଘରର ଅଭାବ ଅନଟନ ଯୋଗୁଁ ପାଠରେ ଡୋରି ବାନ୍ଧିଥିଲା କାରଣ ତା ଭାଈକୁ ପାଠ ପଢେଇବା ପାଇଁ ଗୀତାକୁ ଘରେ ରଖିଥିଲେ ।ପାଠ ପଢ଼ିବାର ପ୍ରବଳ ଇଛା ସ୍ୱତେ ସୁନା ପିଲା ପରି ଘରର କଥା ମାନି ପାଠ ପଢ଼ାରୁ ଅବସର ନେଇଥିଲା ସିନା ବିଭିନ୍ନ ବହି କିଣି ପଢିବା ଭାଇର ବହି ପଢିବା ତାର ନିଶା ଥିଲା ।
ସମାଜରେ ସଂସ୍କାର କିପରି ହେବ ଗାଁ ଦାଣ୍ଡ ପରିବେଶ ସଫାସୁତରା କେମିତି ହେବ ନିଶା ମୁକ୍ତ ସମାଜ କେମିତି ଗଠନ ହେବ ସବୁବେଳେ ଭାବୁଥିଲା ।ସ୍କୁଲ ପଢା ସମୟରେ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅତି ପ୍ରିୟପାତ୍ର ଥିଲା । ଶାନ୍ତ ଧୀର ଜ୍ଞାନୀ ସ୍ଵଭାଵ ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହେଉଥିଲା ।ସବୁବେଳେ ଚେଷ୍ଟା କରୁଥିଲା ମୁଁ କିଛି କରିବି । ସତ୍ୟ ନ୍ୟାୟ ଧର୍ମରେ ବିଶ୍ୱାସ ରଖିଥିଲା ।ତା ମନରେ ଗୁରୁ ଗୁରୁଜନମାନଙ୍କ ପ୍ରତି ସଦା ସର୍ବଦା ଭକ୍ତି ଥିଲା ।ସାନ ମାନଙ୍କୁ ଏତେ ସ୍ନେହ ଦେଉଥିଲା ଯେ ଗାଁ ସାରା ସମସ୍ତେ ତାକୁ ଗୀତା ଦି ଡାକୁଥିଲେ ।ସେ ସବୁବେଳେ ଖାଲି ଭାବନାରେ ବ୍ୟସ୍ତ ଥିଲା । ଭାବିବା ଲେଖିବା କହିବା ସବୁ ଗୋଟିଏ ସ୍ଥାନରେ କିନ୍ତୁ କାର୍ଯ୍ୟରେ ପରିଣତ କରିବା ସବୁଠାରୁ କଠିନ ଅଟେ । ଭାଗ୍ୟ ଯେବେ ସାଥୀ ଦିଏ ସେତେବେଳେ ସବୁ ଇଚ୍ଛା କଠିନ ପରିଶ୍ରମ ଦ୍ୱାରା ପୂରଣ ହୋଇଥାଏ ।
ଗୀତାର ବାହାଘର ହେଲା ପାଖ ଗାଁର ଗଗନ ସହ ।ଗଗନ ବୃତ୍ତିରେ ଜଣେ ପ୍ରାଇମେରୀ ଶିକ୍ଷକ । ଭଦ୍ର ଉଦାର ହୃଦୟ ।ମନରେ ସଦାବେଳେ ସେବା ମନ ଭାବ ।ନାରୀ ଜାତିକୁ ବହୁତ ସନମାନ କରେ ।ଭଗବାନ ଯେମିତି ବାଛିବାଛି ଗୀତା ପାଇଁ ଗଗନକୁ ରଖିଥିଲେ । ନିରାଡ଼ମ୍ବରରେ ଗୀତାର ବାହାଘର ଗଗନ ସହ ହୋଇଥିଲା ।ଦୁହିଁଙ୍କ ମନ ଦୁହିଁଙ୍କ ଭାବନା ଗୋଟିଏ ଥିଲା ।ଶାଶୁ ରମା ଦେବୀ ଶ୍ୱଶୁର ରଙ୍ଗନାଥ ଗୀତାକୁ ବହୁତ ଭଲ ପାଉଥିଲେ ।
ଝିଅ ନଥିବାରୁ ଗୀତାକୁ ଝିଅର ସବୁ ସ୍ନେହ ଅଜାଡି ଦେଇଥିଲେ ।ଶ୍ୱଶୁର ରଙ୍ଗନାଥ ଶାଶୁ ରମାଦେବୀ ଦୁଇଜଣ ରୋଗା କ୍ରାନ୍ତ ହୋଇ ଉପଯୁକ୍ତ ସେବା ଚିକତ୍ସା ଅଭାବରୁ ଶର୍ଯ୍ୟଶାୟୀ ହୋଇଯାଇଥିଲେ । ପୁଅ ଗଗନର ବାହାଘର ପରେ ଗୀତା ପରି ସୁନା ବୋହୂ ଟିର ସେବା ଯତ୍ନରେ ଟିକେ ଟିକେ ଆରୋଗ୍ୟ ଲାଭ କରୁଥିଲେ ।ଗୀତାର ସ୍ୱାମୀ ଭକ୍ତି ଅତୁଳନୀୟ ଥିଲା ।ସବୁକଥା ଦୁଃଖ କଷ୍ଟକୁ ହସି ହସି ସହି ଯାଉଥିଲା ।ଗଗନ ବି ଗୀତାକୁ ବହୁତ ଭଲ ପାଉଥିଲା ।ତା ମାଆ ବାପାଙ୍କର ଏତେ ସେବା ଯତ୍ନ ପଥର ଭଳି ସହି କରିବା ଦେଖି ତାର ଆଖିରୁ ଅଶ୍ରୁ ଅନବରତ ଗଡି ଯାଉଥିଲା ।ମନେ ମନେ ଭାବୁଥିଲା ଗୀତା ସତରେ ମାନବି ନା ଦେବୀ ଟିଏ?
ଧନ୍ୟ ଗୀତା ଧନ୍ୟ ତାର ସେବା ଯତ୍ନ । ଗୀତାର ଟିକେ ବି ଘୃଣା ନଥିଲା ।ଝାଡା ପରିସ୍ରା ସବୁ ହସିହସି ସଫା କରୁଥିଲା ଗାଧୋଇ ଖୋଇ ଦେଉଥିଲା ।ଏମିତି ଗୋଟିଏ ବର୍ଷ ମଧ୍ୟରେ ତା ଶାଶୁ ଶ୍ୱଶୁର ଚାଲିବା ପାଇଁ ଟିକେ ସକ୍ଷମ ହୋଇଗଲେ ।
ଗୀତା ଗୋଟିଏ ପୁତ୍ର ସନ୍ତାନର ଜନନୀ ହୋଇଗଲା। ଶାଶୁ ଶ୍ୱଶୁର ସ୍ୱାମୀ ପୁଅକୁ ନେଇ ତେଲଲୁଣର ସଂସାରଟି ସୁଖ ଦୁଃଖରେ କଟି ଯାଉଥିଲା ।
ଗୀତା ନିଜ ପାଇଁ କେବେ କିଛି ଭାବୁନଥିଲା ।ଗଗନ ଯଦି ଗୀତା ପାଇଁ କିଛି ଆଣିଦେଲେ କହୁଥିଲା ବଦ ଖର୍ଚ୍ଚ କରନି ।ସ୍ୱାମୀ ଶାଶୁ ଶ୍ୱଶୁର ପୁଅ କାହ୍ନୁର ଗାଁ ବାସୀଙ୍କ ଯତ୍ନ ନେଉ ନେଉ ଆଠ ବର୍ଷ ବିତିଯାଇଥିଲା ।ଶାଶୁ ଶ୍ୱଶୁରଙ୍କ ଔଷଧରେ ସବୁ ଟଙ୍କା ହସିହସି ଖର୍ଚ୍ଚ କରୁଥିଲା ।ନିଜ ପାଇଁ ସେ କେବେ କିଛି କରିନି ।ନା ଦାମିକିଆ ଶାଢ଼ୀ କରିଛି ନା ଗହଣା ଗାଣ୍ଠି କରିଛି ।ଖାଲି ଚେଷ୍ଟା କରିଛି ସମସ୍ତଙ୍କୁ ଖୁସି କରିବା ପାଇଁ ।ଧନ୍ୟ ଗୀତା ଧନ୍ୟ ତାର ସଂସ୍କାର ।
ଗୀତା ଗଗନ ଦୁହେଁ ଗାଁର ପିଲାମାନଙ୍କୁ ବୁଢ଼ାବୁଢ଼ୀ ମାନଙ୍କୁ ଶିକ୍ଷିତ କରିବା ପାଇଁ ସନ୍ଧ୍ୟା ବେଳେ ବାହାର ଖୋଲାଜାଗାରେ ଗୋଟିଏ କଳାପଟା ଚକଖଡି ରଖି ବିନା ପଇସାରେ ଶିକ୍ଷାଦାନ କରନ୍ତି ।ଗାଁ ର ମହିଳା ପୁରୁଷ ବୁଢ଼ାବୁଢ଼ୀ ମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁବେଳେ ଉଦ୍ୟମ କରନ୍ତି ।ପିଲାମାନେ କିପରି ମନଖୁସିରେ ସ୍କୁଲ ଯିବେ ପାଠ ପଢିବେ ସେଥିପାଇଁ ଘର ଘର ବୁଲି କୁହନ୍ତି ।ଶିକ୍ଷିତ ସୁସ୍ଥ ସମାଜ ଗଠନ ପାଇଁ ସବୁବେଳେ ଚେଷ୍ଟା କରନ୍ତି ।ସାରା ଗାଁ ର ଲୋକେ ଗଗନ ଗୀତାକୁ ବହୁତ ସ୍ନେହ କରନ୍ତି କାରଣ ତାଙ୍କ ସ୍କୁଲର ସବୁ ପିଲା ଭଲ ପାଠ ପଢି ଭଲ ନମ୍ବର ରଖି ପାସ କରୁଛନ୍ତି । ମୂଳଦୁଆକୁ କେମିତି ଗଢାଯାଏ ତାହା ଗୀତା ଗଗନକୁ ଜଣା । ଗଗନ ବାକି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ଉଦ୍ୟମ ଯୋଗୁଁ ସେମାନଙ୍କର ସ୍କୁଲ ସୁନାମ ଧନ୍ୟ ସ୍କୁଲ ଭାବେ ପରିଗଣିତ ହେଉଥିଲା ।ସେହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଡାକ୍ତର ଶିକ୍ଷକ ଅଧ୍ୟାପକ ଯନ୍ତ୍ରୀ ସୈନିକ ଦେଶର ରକ୍ଷକ ପରି ବହୁତ ବଡ଼ ବଡ଼ ପଦବୀରେ ରହି ଗାଁ ର ନାମକୁ ଉଜ୍ୱଳ କରିଥିଲେ ।
କେବଳ ସେତିକି ନୁହେଁ ଦୁହିଁଙ୍କ ଚେଷ୍ଟାରେ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ଗାଁରେ କଲେଜ ସ୍ଥାପିତ ହେଲା ।ଗାଁ ରେ ପାଇଖାନା ନଥିଲା ସମସ୍ତେ ବାହାରେ ଖୋଲା ଜାଗାରେ କରୁଥିଲେ ।ଗୀତା ର ଅନ୍ୟ ମହିଳା ମାନଙ୍କ ମିଳିତ ଉଦ୍ୟମରେ ସରକାରଙ୍କର ସାହାର୍ଯ୍ୟ ଯୋଗୁଁ ଘରେଘରେ ପାଇଖ
ାନା ତିଆରି ହେଲା ।ଗାଁ ପ୍ରଦୂଷଣ ମୁକ୍ତ ହେଲା ।ପାଇଖାନା ସିନା ତିଆରି ହେଲା କିନ୍ତୁ ଖରାଦିନେ ପାଣି ପାଇଁ ଗାଁ ଲୋକେ ଡହଳ ବିକଳ ହେଉଥିଲେ ।କୂଅ ପୋଖରୀ ଶୁଖି ଯାଉଥିଲା ।
ସବୁ ଗାଁ ଲୋକେ ସ୍ଥିର କଲେ ଗୀତାକୁ ସରପଞ୍ଚ କରିବା ପାଇଁ ।ସମସ୍ତଙ୍କ ମିଳିତ ଉଦ୍ୟମରେ ସୁନା ବୋହୂ ସୁନା ଝିଅ ସୁନା ଭଉଣୀ ଗୀତା ସରପଞ୍ଚ ହେଲା ।ଗାଁ ରେ ନଳକୂପ ପ୍ରତିଷ୍ଠା କଲା ।ଘରେଘରେ ବିଜୁଳି ବତୀ ଲଗେଇଲା ।
ଗାଁର ଅନ୍ଧାର ରାସ୍ତାକୁ ଆଲୋକିତ କରାଇଲା ।ଗାଁ ଲୋକଙ୍କ ଭୂତ ପ୍ରେତ ଭୟକୁ କୁସଂସ୍କାରକୁ ଅନ୍ଧ ବିଶ୍ୱାସ କହି ଗାଁ ରେ ସଂସ୍କାର ଆଣିଲା ।ସେ ପଢି ବାର ସୁଯୋଗ ପାଇନଥିବାରୁ ପଢିବା ପାଇଁ ଆଗ୍ରହୀ ଝିଅ ପୁଅ ମାନେ ଯେପରି ପାଠ ପଢିବାରେ ନିବୃତ ନହେବେ ସେଥିପାଇଁ ଚେଷ୍ଟା କଲା ।ସେମାନେ ଯେପରି ସହଜରେ ବହି ଖାତା ପାଇ ପାରିବେ ସେମାନଙ୍କର ପାଠ ପଢ଼ାରେ ଯେପରି ଅସୁବିଧା ନହେବ ସେଥିପାଇଁ ଯତ୍ନ ନେଉଥିଲା ।ଗାଁ ର ପ୍ରତିଟି ଲୋକଙ୍କ ସୁବିଧା ଅସୁବିଧାକୁ ଦୁହେଁ ମିଶି ଦେଖୁଥିଲେ ।ଗାଁ ଲୋକେ ଦୁହିଁଙ୍କୁ ବହୁତ ସନମାନ କରୁଥିଲେ ।
ସରପଞ୍ଚ ପରି ପଦବୀରେ ଥାଇ ମଧ୍ୟ ପାଇଁ ତା ମନରେ ଟିକେ ବି ଗର୍ବ ନ ଥିଲା ।ସବୁବେଳେ ଚିନ୍ତାଥିଲା ଗାଁର କିପରି ଉନ୍ନତି ହେବ ।ଗାଁ ରେ ଭଲ ଭଲ ଡାକ୍ତର ରହିବେ ଡାକ୍ତରଖାନାରେ ଭଲ ଭଲ ଯନ୍ତ୍ରପାତି ରହିବ ।ଗାଁ ଲୋକଙ୍କ ଦେହ ଖରାପ ହେଲେ ସେମାନେ ବିଭିନ୍ନ ପରୀକ୍ଷା ପାଇଁ ସହରକୁ ଯିବେ ନାହିଁ କାରଣ ଦେହ ଖରାପ ହେଲେ ସହରକୁ ବିଭିନ୍ନ ପରୀକ୍ଷା କରିବାକୁ ଯାଉଥିଲେ ।
ଗୀତାର ଚେଷ୍ଟା ସମସ୍ତଙ୍କ ମିଳିତ ଉଦ୍ୟମରେ ଗାଁର ଡାକ୍ତରଖାନା ନମ୍ବର 1ଡାକ୍ତରଖାନା ହୋଇଗଲା । ଗୀତାର ଗଗନର ଚେଷ୍ଟା ସେବା ଉଦ୍ୟମ ଫଳରେ ଗାଁ ର ପିଲା ବୁଢା ବୁଢ଼ୀ ସମସ୍ତେ ସହଜରେ ଡାକ୍ତରୀ ଚିକିତ୍ସା ପାଇ ଆରୋଗ୍ୟ ଲାଭ କଲେ ।ଗାଁ ର ରୋଗୀ ସଂଖ୍ୟା ଆସ୍ତେ ଆସ୍ତେ କମିଗଲା କାରଣ ପରିବେଶ ସଫା ସୁତରା ରହିଲା ।
ଗାଁ ର ରାସ୍ତା ବହୁତ ଜାଗାରେ ଭଲ ନଥିଲା ସେଥି ପାଇଁ ବହୁତ ଦୁର୍ଘଟଣା ହେଉଥିଲା ।ଗାଁ ର କଚ୍ଚା ରାସ୍ତା ପକ୍କା ରାସ୍ତାରେ ପରିଣତ କରିବା ପାଇଁ ସବୁ ଗ୍ରାମ ବାସୀ ଲାଗି ପଡିଲେ ।ସମସ୍ତଙ୍କ ମିଳିତ ଉଦ୍ୟମ ଫଳରେ ରାସ୍ତା ପକ୍କା ଚଉଡା ହେଲା ଫଳରେ ଗାଁ ରାସ୍ତା ଦୁର୍ଘଟଣା ମୁକ୍ତ ହେଲା ।
ଗୀତା ଗାଁ ର ସ୍ଥାନେ ସ୍ଥାନେ ଲୋକଙ୍କୁ ନିଯୁକ୍ତି କରି ସଡ଼କ ସୁରକ୍ଷା, ସଡ଼କ ନିୟମ ଗାଡି ଚଲେଇବା ବେଳେ କିପରି ନିୟମ ପାଳନ କରାଯାଏ ସେସବୁ ବିଷୟରେ ଶିକ୍ଷା ଦେଲା ।ସ୍ଥାନେ ସ୍ଥାନେ ଫଳକ ଲଗାଇଲା
''ସଡ଼କ ସୁରକ୍ଷା ଜୀବନ ରକ୍ଷା ''
ଗାଁ ର ଲୋକ ମାନେ ମଦ ତମାଖୁ ପରି ବହୁତ ନିଶା ଦ୍ରବ୍ୟରେ ଅଭ୍ୟସ୍ତ ଥିଲେ ।ସେମାନେ କିପରି ଏହି ନିଶା ଦ୍ରବ୍ୟ ଠାରୁ ଦୂରରେ ରହିବେ ସେଥିପାଇଁ ସ୍ଥାନେ ସ୍ଥାନେ ସଚେତନତା ଶିବିର କରାଇ ଲୋକମାନଙ୍କୁ ନିଶା ଠାରୁ ନିବୃତ କରାଇଥିଲା ।ଗାଁ ର ମାଟି ପାଣିର ଯତ୍ନ ପାଇଁ ସ୍ଥାନେ ସ୍ଥାନେ ଗଛ ଲଗାଯାଇଥିଲା ।
ଗାଁ ର ଲୋକ ମାନେ କିପରି କର୍ମ ନିଯୁକ୍ତି ପାଇବେ ସେଥିପାଇଁ ଗଗନ ଗୀତା ଦୁହେଁ ଆପ୍ରାଣ ଚେଷ୍ଟା କରିଥିଲେ ।ସହଜରେ କମ ପରିଶ୍ରମରେ କିପରି ଭଲ ଅମଳ ହେବ ସେଥିପାଇଁ ନୂଆ ନୂଆ କୃଷି ଉପକରଣ କୀଟ ନାଶକ ଔଷଧ ଆଣି ଗାଁ ର କୃଷକ ଭାଇଙ୍କୁ ଯୋଗାଇ ଦେଉଥିଲେ ।
କୁଟୀର ଶିଳ୍ପର ସାରା ବିଶ୍ୱରେ ଚାହିଦା ଦେଖି ଗାଁ ର ମହିଳା ପୁରୁଷ ମାନଙ୍କୁ ଏକ ଜୁଟ କରାଇ କୁଟୀର ଶିଳ୍ପ ପ୍ରତିଷ୍ଠା କରିଥିଲେ ।ଏହି କୁଟୀର ଶିଳ୍ପର ପ୍ରତିଷ୍ଠା ଯୋଗୁଁ ଗାଁ ର ବହୁତ ପୁରୁଷ ମହିଳା ମାନେ କର୍ମ ନିଯୁକ୍ତି ପାଇଲେ ।ନିଶାମୁକ୍ତ କର୍ମ ନିଯୁକ୍ତ ଗାଁ ଭାବରେ ସାରା ଦେଶରେ ପ୍ରଶଂସା ଅର୍ଜନ କଲା ।ଗାଁ ର ପରିବେଶ ଗାଁ ଲୋକଙ୍କ ଉଦ୍ୟମ ଗୀତା ଗଗନର ଚେଷ୍ଟା ପାଇଁ ଗାଁ ସୁନାର ଗାଁ ହୋଇ ଗଲା ।ଗାଁ ସାରା ସମସ୍ତେ ଭାଈ ଚାରା ରେ ବାନ୍ଧି ହୋଇ ଯାଇଥିଲେ ।ନଥିଲା ହିଂସା ଛଳନା କପଟ......
ସାରା ଦେଶ ଗାଁ ର ପ୍ରଶଂସା କରିବା ସହ ଗୀତା ଗଗନର ଭୁରି ଭୁରି ପ୍ରଶଂସା କଲେ ।ବଡ ବଡ ସହର ଏହି ଛୋଟ ସବୁଜ ଶସ୍ୟ ଶ୍ୟାମଳା ଗାଁ ପାଖରେ ଫିକା ପଡିଗଲା ।ସହରରୁ ଲୋକେ ଦୌଡ଼ି ଆସିଲେ ସୁନାର ସୁନ୍ଦର ଶାନ୍ତ ପ୍ରଦୂଷଣ ମୁକ୍ତ ଗାଁକୁ ଦେଖିବାକୁ ।
ସମାଜରେ ଗୀତା ଗଗନ ପରି ଯଦି ଲୋକଙ୍କ ମନଭାଵ ହୋଇଥାନ୍ତା ତାହେଲେ ପୁରା ଦେଶ ଗୀତାର ଗାଁ ପରି ନିଶା ମୁକ୍ତ, ସବୁଜ, ପ୍ରଦୂଷଣ ମୁକ୍ତ ହୋଇଥାନ୍ତା ।
ଗୀତା ପରି ସାଙ୍ଗ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ।ତାଠାରୁ ମୋତେ ବହୁତ କିଛି ଶିଖିବାର ଅଛି ।ଅଭାବ ଅନଟନ ସ୍ୱଳ୍ପ ଦରମା ଭିତରେ ପରିବାର କୁ କିପରି ପରିଚାଳନା କରାଯାଏ, ସେବା କିପରି କରାଯାଏ ତା ଠାରୁ ଶିଖିବାର ଅଛି । ତାଠାରୁ ମୁଁ ବହୁତ ପ୍ରେରଣା ପାଇଛି ।ଅଭାବ ଅନଟନ ସଫଳତା ବିଫଳତା ଭିତରେ ଜୀବନର ଦୌଡ଼ରେ ହାରିନଯାଇ ଚେଷ୍ଟା କରି ସଫଳତା ଲାଭକରି ସମାଜର ଉନ୍ନତି ପାଇଁ ନିଜ ଜୀବନର ସ୍ୱାର୍ଥକୁ ତ୍ୟାଗ କରି ଅନ୍ୟ ମୁହଁରେ କିପରି ହସ ଫୁଟାଯାଏ ସେସବୁ ଗୀତା ଠୁ ଶିଖିବା କଥା ।ଆମ ପାଖରେ ସବୁ ଥାଇ ଆମେ କିଛି କରି ପାରୁନୁ କାରଣ ମଣିଷକୁ ଯେତେବେଳେ ବିନା ପରିଶ୍ରମରେ ସବୁ କିଛି ମିଳିଯାଏ ସେ କୁପଥ ଗାମୀ ହୋଇଯାଏ ।
ମୋ ସାଙ୍ଗ ଗୀତା ତାର ସ୍ୱାମୀ ଗଗନ ଠାରୁ ମୁଁ ବହୁତ ପ୍ରେରଣା ପାଇଛି ।ତାର ସଂଘର୍ଷର କାହାଣୀ ମୋତେ ବହୁତ ଅନୁପ୍ରେରିତ କରିଛି ।ସତରେ ଧନ୍ୟ ତୁ ଗୀତା ଧନ୍ୟ ତୋର ନାମ ଧନ୍ୟ ତୋର ପିତାମାତା ।
ଆମେ ସମସ୍ତେ ଗୀତା ଗଗନର ଜୀବନର କାହାଣୀରେ ଅନୁପ୍ରେରିତ ହେଲେ ଘରର ସମାଜର ଗାଁ ର ସହରର ଦେଶର ବିଶ୍ୱର ଉନ୍ନତି ହେବ ।ଆଦର୍ଶ ବିଶ୍ୱ ସୃଷ୍ଟି ହେବ ।ସ୍ନେହର ପ୍ରେମର ବନ୍ଧନରେ ସମସ୍ତେ ବାନ୍ଧି ହୋଇଯିବେ ।ହିଂସା ରାଗ ଦ୍ୱେଷ ଭୂଲି ସ୍ୱାର୍ଥ ତ୍ୟାଗ କରି ଭାଇଚାରା ବନ୍ଧନ ରେ ବାନ୍ଧି ହୋଇଯିବେ ।ଖଣ୍ଡ ଯୁଦ୍ଧ ଶୀତଳ ଯୁଦ୍ଧର ଭୟ ରହିବନି ।ଶାନ୍ତିର କପୋତ ଆନନ୍ଦରେ ଆକାଶରେ ଉଡ଼ିବ ।ପ୍ରତ୍ୟେକ ପରିବାରରେ ସମସ୍ତେ ପିତା ମାତାଙ୍କୁ ସନମାନ କରିବେ ।ବୁଢ଼ା ବୁଢ଼ୀ ମାନେ ଅବହେଳିତ ହେବେନି ।ନାରୀ ପୁରୁଷ ସମସ୍ତେ କାନ୍ଧ ରେ କାନ୍ଧ ମିଶେଇ ଚାଲିବେ ।ପ୍ରଦୂଷଣ ମୁକ୍ତ ନିଶା ମୁକ୍ତ ସମାଜ ଗଠନ ହୋଇ ସାରା ବିଶ୍ୱ ବୈକୁଣ୍ଠ ଧାମରେ ପରିଣତ ହେବ ।
ଓଡିଶାର ବନ୍ଧୁ ଦୀନ ବନ୍ଧୁ ଦଳିତ ବନ୍ଧୁ ଗୋପବନ୍ଧୁ କହିଥିଲେ-
ଜାତି ନନ୍ଦିଘୋଷ ଚଳିବକି ଭାଇ
"ସ୍ୱାର୍ଥ" କୁ ସାରଥୀ କଲେ
ଟାଣେ କିରେ ଗାଡି ଦାନାର ତୋବଡ଼ା
ଘୋଡା ମୁହେଁ ବନ୍ଧା ହେଲେ ।।