ଉତ୍କଳ ଉବାଚ
ଉତ୍କଳ ଉବାଚ


ଉତ୍କଳ କହୁଛି ଉତ୍କଳୀୟ କାନେ
କାହିଁ ତୋ ଉତ୍କର୍ଷ କର୍ମ
ଭାଷା ସଂସ୍କୃତିର ଜୟଗାନ ଖାଲି
ଅଟେ କି ତୋହର ଧର୍ମ ।
ଭୁଲିଗଲୁଣି କି ପୂରୁବ ଗୌରବ
ପୂର୍ବ ପୁରୁଷଙ୍କ କୃତି
ମା'ର ସମ୍ମାନ ରକ୍ଷା ଲାଗି ଦିନେ
ପାଇକ ଉଠିଲା ତାତି ।
ଫକୀରମୋହନ ମଧୁସୂଦନ ବି
ଜାଳିଥିଲେ ଦୀପଟିଏ
ସେଇ ପ୍ରଦୀପର ଆଲୋକରେ ଆଜି
ଆଲୋକିତ ଯେ ସଭିଏଁ ।
ବୀରସୁରେନ୍ଦର ଲକ୍ଷ୍ମଣ ନାୟକ
ବାଜି ରାଉତର ଗାଥା
ସ୍ପନ୍ଦନ ବଢାଏ ଦେହକୁ ଥରାଏ
ଉଁଚା କରିଦିଏ ମଥା ।
କୁନ୍ତଳା କୁମାରୀ ମାଆ ରମା ଦେବୀ
ଅବା ନାୟିକା ନନ୍ଦିନୀ
ପରମ୍ପରା ମଧ୍ୟେ ରହିଣ ତଥାପି
ଖୋଲିଲେ କେତେ ବନ୍ଧନି ।
ଆଧୁନିକ ଦ୍ଵାରେ ଛିଡା ହୋଇ ଭାବେ
ବରମ୍ପୁରୀ ପାଟ କଥା
ସମ୍ବଲପୁରୀ ଶାଢ଼ୀ ଖୋର୍ଦ୍ଧା ସିଲିକି<
/p>
ଆଜିବି ଆମରି ପ୍ରଥା ।
ପିପିଲି ଚାନ୍ଦୁଆ ସରି କିଏ ହେବ
ହସ୍ତଶିଳ୍ପ କାରୁକାର୍ଯ୍ୟେ
କୋଣାର୍କ ଦର୍ଶନ ପୃଥିବୀ କରଇ
ଗଣି ତାକୁ ସପ୍ତାଶ୍ଚର୍ଯ୍ୟେ ।
ସାରଳା ବିରଜା ମଙ୍ଗଳା ହିଙ୍ଗୁଳା
ଲିଙ୍ଗରାଜ ଗୁପ୍ତେଶ୍ଵର
ସକଳ ତୀର୍ଥର ପୂଣ୍ୟ ଭୂମି ଏଠି
କ୍ଷେତ୍ର ଅଟେ କାଳିଆର ।
ପଖାଳ ମିଳଇ ଶାଗଭଜା ସାଥେ
ଚୁଡାଘସାକୁ ଡାଲମା
ଛେନା ରାବିଡି ରସଗୋଲା ତାଡିଆ
ମୋହନଭୋଗ ଉପମା ।
ବର୍ଣ୍ଣିବା ପାଇଁ କି ମୋହରି ବିଭବ
ରହିବି କି ନାହିଁ ମୁହିଁ
ମୋ କୋଳେ ଜନ୍ମିଣ କଷଣ ଦେଉଛ
କାନ୍ଦୁଛି ଅସ୍ତିତ୍ବ ପାଇଁ ।
ମୋ ଗର୍ଭ ଯନ୍ତ୍ରଣା ମାନ ଟିକେ ରଖ
ଓଡ଼ିଆ ଉତ୍କଳ ମାଟି
ପବନେ ଗଗନେ ପ୍ରକମ୍ପିତ ହେଉ
ଉତ୍କଳ ମାତା ନାମଟି ।।