ତୁମ ଆଗେ ଯାଇ କହେ
ତୁମ ଆଗେ ଯାଇ କହେ
ଦୁନିଆରେ ଯିଏ ଘର କରିଥାଏ
ପଥର ପଡ଼ିଲେ ସହେ ,
ସହି ନ ପାରିଲେ ମୁହଁଖୋଲି ସିନା
ତୁମ ଆଗେ ଯାଇ କହେ ।(ଘୋଷା)
କରି କରାଅ ତ ତୁମେ ସବୁକିଛି
ସେ ବଡ଼ ଦେଉଳେ ଥାଇ ,
ଏ ମଣିଷ କିଆଁ କରମକୁ ନିନ୍ଦେ
ଅଶେଷ ଯାତନା ପାଇ ।
କିଛି ନ ଜାଣିଲା ଭଳି ଦେଖୁଥାଅ
ଯେମିତି ସେ କେହି ନୁହେଁ ।(୧)
ସହି ନ ପାରେ ଯେ-ମୁହଁ ଖୋଲି ସିନା
ତୁମ ଆଗେ ଯାଇ କହେ ।
କେ କାନ୍ଦି ଗଡ଼ିଲା, କା' ହଂସା ଉଡ଼ିଲା
ତୁମର ଯାଉଛି କିସ ,
ଷାଠିଏ ପଉଟି ଖାଇଦେଇ ନିତି
ହେଉଛ ତ ନାନା ବେଶ ।
ମହାରାଜା ଭଳି ତୁମ ଥାଟ୍ଟବାଟ
ଦୀନବନ୍ଧୁ କିଏ କହେ !(୨)
ଦୁନିଆରେ ଯିଏ ଘର କରିଥାଏ
ପଥର ପଡ଼ିଲେ ସହେ....
ତୁଚ୍ଛାଟାରେ କିଆଁ ହୁରି ପକାଉଛ
ଆପଦ ଭଞ୍ଜନ ବୋଲି ,
ଭକତ ବିଚରା ଦୁଃଖେ କାନ୍ଦି ଗଡ଼େ
ଚାହୁଁନାହଁ ଟିକେ ବୁଲି ।
ତୁମେ ପର କଲେ ଆଉ କି ଉପାୟ
ମନମାରି ଖାଲି ରହେ ।(୩)
ସହି ନ ପାରେ ଯେ-ମୁହଁଖୋଲି ସିନା
ତୁମ ଆଗେ ଯାଇ କହେ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।