ତୁଚ୍ଛା ମାଗି କଳିଖିଆ
ତୁଚ୍ଛା ମାଗି କଳିଖିଆ
ମୁଁ କାଇଁ ହେବି ସରଗର ଜହ୍ନ
ଗଡ଼ିଆର ନୀଳ କଇଁ,
ବାପା ମାଆଙ୍କର ଅଲିଅଳି ଝିଅ
ରାଜକୁମାରୀ ମୁଁ ନାଇଁ ।
ଭଣ୍ଡୁଅଛ ମୋତେ କାହିଁ;
ମିଛୁଆ, ଏକଥା ସଭିଙ୍କ ଆଗରେ
କହିଦେବି ଏବେ ଯାଇ ।
ଜେଜୀମାଆ ଡାକେ ବଲୁରି ବୋଲିକି
ଜେଜେବାପା ବାଇଆଣି,
ବୋଉ ଡାକୁଥାଏ ରୂପାଲି ବୋଲି ଯେ
ବାପାଙ୍କ କଣ୍ଢେଇରାଣୀ ।
ଭାଇ କହେ-ଭାଲୁକୁଣୀ;
ସାଙ୍ଗମାନେ ମୋତେ ଚିଡାନ୍ତି ମାଙ୍କେଡ଼ି
ଏତିକି ଅଛି ମୁଁ ଜାଣି ।
ଜହ୍ନଟା ଦେଖୁନା ଆକାଶରେ ଅଛି
ଜୋଛନା ଦେଉଛି ଢାଳି,
ତାକୁ ଦେଖି ମୁହିଁ ଖୁସିରେ ଏଇଠି
ନାଚୁଥିଲି ମାରି ତାଳି ।
ଆସିଲ ଇଗଲ ଭଳି;
ଯାଉନା ଦେଖିବ, ପୋଖରୀ ଭିତରେ
କଇଁ ନାଚୁଥିବେ ଢଳି ।
ରାଇଜ ନାହିଁ କି ରାଜା ନାହାଁନ୍ତି ହେ
ଏ କଥା ମୁଁ ଜାଣିଅଛି,
ବୋଉ କରିଥିଲା କାନ୍ଧିଆ ଆଚାର
ଲୁଚାଇକି ଆଣିଅଛି ।
ଖାଇବ କି ତୁମେ କିଛି;
ଏଣ୍ଡୁଅ ପରିକା ମୁଣ୍ଡ ଟୁଙ୍ଗାରନା
ଯାଅ ଏଠୁ କାମ ଅଛି ।
ଭଣ୍ଡିଲେ ଏମିତି ଭଳି ଯିବିନି ମୁଁ
ତୁମେ ଗୋଟେ ବାହାପିଆ,
ଆଗରୁ ରୀତାକୁ ଶିଖାକୁ କହିଛ
ତୁଚ୍ଛା ମାଗି କଳିଖିଆ ।
ଆଉ କିଆଁ ହେଲ ଠିଆ;
ନିଜକୁ ଭାବୁଛ ରାଜାପୁଅ ଯଦି
ରାଇଜ ପାଳିବ ଯାଆ ।