ଶିବଧନୁ ଭାଙ୍ଗିଲା କିଏ?
ଶିବଧନୁ ଭାଙ୍ଗିଲା କିଏ?
ସ୍କୁଲ ଇନ୍ସପେକ୍ଟର ନାମ ନାରାୟଣ ପାଣି l
ଭାରି କଡ଼ାଲୋକ ତାଙ୍କ ବିଚିତ୍ର ଚାହାଣି ll
ସ୍କୁଲ ପରିଦର୍ଶନରେ ଯେ ଆଡ଼େ ଯାଆନ୍ତି l
ଛାତ୍ରେ ଶିକ୍ଷକେ ସମସ୍ତେ ପ୍ରମାଦ ଗଣନ୍ତି ll
ଦିନେ ପହଞ୍ଚିଲେଯାଇ ବାବୁ ଗୋଟେ ସ୍କୁଲ l
ତାଙ୍କ ପାଇଁ ଉପସ୍ଥାନ ଥିଲା ପୁରା ଫୁଲ୍ ll
ପହଁଚିଲେ ବାବୁ ଯାଇ ଏକାଦଶ ଶ୍ରେଣୀ l
ପ୍ରଶ୍ନଟିଏ ଛାଡ଼ିଦେଲେ ରାମାୟଣୁ ଆଣି ll
ପିଲେ କୁହ ଶିବଧନୁ କିଏ ସେ ଭାଙ୍ଗିଲା l
ପ୍ରଶ୍ନ ଶୁଣି ଠରାଠରିହେଲେ ସବୁ ପିଲା ll
ବାବୁ ପଚାରନ୍ତି ଛାତ୍ରେ ଏକ, ଏକ ଚାହିଁ l
ପିଲାଏ କହନ୍ତି ଆଜ୍ଞା ମୁହିଁ ଭାଙ୍ଗି ନାହିଁ ll
ଶେଷରେ ପ୍ରଶ୍ନ କରନ୍ତେ କକ୍ଷ ପ୍ରଥମକୁ l
ନାହିଁକରେ କଣ୍ଠ ଶୁଖି ପାଟି ପାକୁପାକୁ ll
ଶିକ୍ଷକ ଚିନ୍ତିଲେ ବଡ଼ ପ୍ରମାଦ ହୋଇଲା l
ଶିବଧନୁ ଭାଙ୍ଗିଲା, ବାବୁଙ୍କ କିସ ଗଲା ll
ଶେଷରେ ସମ୍ପାଦକଙ୍କ କାନେ କଥାପଡ଼ି l
ସ୍କୁଲକୁ ଆସିଲେ ସିଏ ଧାଇଁ ଉଠି ପଡ଼ି ll
ପାଣି ବାବୁଙ୍କୁ କହିଲେ ଅନେକ ବୁଝାଇ l
ଶିବ ଧନୁ ଭଙ୍ଗା ପାଇଁ ଚିନ୍ତା କର ନାହିଁ ll
ଭାଙ୍ଗିଛି ଯେ ଶିବଧନୁ ସେ ଦୁଷ୍ଟ ଦୂର୍ଦ୍ଦଣ୍ଡ l
ପୋଲିସରେ କହି ତାକୁ ଦିଆଇବୁ ଦଣ୍ଡ ll
ଶିବଧନୁ ଗଳ୍ପ ଯେବେ ବାବୁ ବାଖାଣିଲେ l
ଦାଣ୍ଡ ଫାଟିପଡ଼େ ସର୍ବେ କୁରୁଳି ହସିଲେ ll
