STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସେଇ ଆମ କବିତା

ସେଇ ଆମ କବିତା

1 min
354


ବାହାରେ‌ ଶୁଭିଲା କାର୍ ହର୍ଣ୍ଣ ଯେବେ

    ଘରେ ରହି ପାରିଲିନି,

ଦ‌ଉଡି ଗଲି ମୁଁ ଯାହାକୁ ଦେଖିଲି

    ତାକୁ ଚିହ୍ନି ପାରିଲିନି।

ଏତିକି ଦେଖିଲି ଓଡିଆଣୀ‌ ଦେହେ

    ପାଶ୍ଚାତ୍ୟର ଅଙ୍ଗୀକାର,

ଦୁଧ ଅଳତାର‌ ମିଶା ରଙ୍ଗ ଦେହ

    ବେଶ ଅର୍ଦ୍ଧ ନଗ୍ନତାର।

ସ୍କଟ୍‌ ଜିନ୍ ଡ୍ରେସ୍ ଚାଖଣ୍ଡେ ଭିତରେ

    ଲାଜ ଅଧା ଲୁଚୁ ନାହିଁ,

ଓଠେ ଲିପ୍ ଷ୍ଟିକ୍ ପାଦେ ହାଇହିଲ୍

    ଆଖିରେ ଚଷମା ଦେଇ।

ସ୍ମାର୍ଟ ମୋବାଇଲ ହାତରେ ଧରିଛି

    ଭେନିଟି‌ ଝୁଲେ କାନ୍ଧରେ,

ବବ୍‌କଟ୍ ଚୂଳ ମଡର୍ଣ୍ଣ ଗାର୍ଲ୍‌ର

    ପରିଚୟ ସୃଷ୍ଟି କରେ।

ଡ୍ରାଇଭିଂ କରି ସେ ଥକି ପଡ଼ିଛି

    ଅଟକିଛି ଗାଆଁ ଦାଣ୍ଡେ,

ବାରେଣା ଇଂରାଜୀ ଚାରେଣା ଓଡ଼ିଆ

    କହୁଛି ସେ ଖଣ୍ଡେ ଖଣ୍ଡେ।

ଭାବ,ରସ,ଛନ୍ଦ ଆବେଗର ଗନ୍ଧ

    ହୁଏ ନାହିଁ ଅନୁଭବ,

ଭାଷା, ସଂସ୍କୃତି ଓ ପରମ୍ପରାଟିର‌ 

    କରେ ସମ୍ପୂର୍ଣ୍ଣ ବିରୋଧ।

ଓଡ଼ିଆ ବୁଝୁଛି ଇଂରାଜୀ କହୁଛି

    ନାହିଁ ମାତୃଭାଷା ପ୍ରୀତି,

ଠିକଣା ବୁଝିଲେ ସେ କବିତା ବୋଲି 

    ତା' ନାଆଁ କହୁଅଛି।

ଆମ ଗାଆଁର ସେ କବିଦାସ ଝିଅ

    କବିତା ତ ହଜିଥିଲା,

ଏ କ'ଣ ସେହି ଆମରି କବିତା

    ଆଜି ଗାଆଁକୁ ଫେରିଲା?

ବହୁତ ଦିନର ଅନ୍ତର ମଧ୍ୟରେ

    ସେ କିନ୍ତୁ ବଦଳି ଅଛି,

ଷୋଡ଼ଶୀ ତନୁରେ ମାଦକତା ଭରି

    କବିଙ୍କୁ ମୋହି ନେଉଛି।

ହଜି ଯାଇଥିବା ସେଇ କବିତା ଏ

    ଖେଳେ ଆଧୁନୀକତାରେ‌ ,

ଓଡିଶୀର ଛନ୍ଦ ନୂପୁରର ନାଦ

    ନାହିଁ ତାର ଚଳଣୀରେ।

ହାଏ ବାଏ କହେ ଷ୍ଟାଇଲ ଦେଖାଏ

    ଉଗ୍ର ଆଧୁନୀକ ଏହି,

ଯଦି କବିତାର ଏ ସ୍ଥିତି ହୋଇଛି

    ଏହା ପାଇଁ କିଏ ଦାୟୀ?

କବି ବାଲମୀକ‌ କିବା କାଳିଦାସ

    ଶାରଳା କି ଗଙ୍ଗାଧର,

କବିବର କବି ସମ୍ରାଟ ସହିତେ

    ସେମାନଙ୍କୁ ଲକ୍ଷ୍ୟ କର।

ତାଙ୍କ ସୃଜନୀରେ ରସ ଥିଲା ପରା

    ଭାବ,ପ୍ରେମ ବିରହର,

ଆଜି ଏ କବିତା କାର୍ ଚଢି ଦେଖ

    ବୁଲୁଛି ଗାଆଁ ସହର।

ହ୍ଵାଟ୍‌ସଫ୍ ଆଉ ଫେସ୍ ବୁକ୍ ଦେଇ

    ଭୁଲେ ନିଜ ଅସ୍ତିତ୍ଵକୁ,

ପ୍ରଚାର ପ୍ରସାର କରି ଚାହୁଁଅଛି

    କିଣିବାକୁ ପାଠକକୁ ।

ଅବଶ୍ୟ କବିତା ଯେମିତି ହେଉବା

    ଆମ ପାଖେ ପହଞ୍ଚିଛି,

ସାହିତ୍ୟ ସାଧକ ମାନଙ୍କୁ ଅନ୍ତରୁ

    ଶୁଭେଚ୍ଛା ମୁଁ ଜଣାଉଛି।

କବିଟି ଚାହିଁଲେ କବିତା ବଞ୍ଚିବ

    ସମାଜ ମଙ୍ଗଳ ପାଇଁ,

କବି କଲମର ବଳ ପାଖେ ପରା

   କମାଣ ଫେଲ୍‌ ମାର‌ଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy