ଗ୍ରହ
ଗ୍ରହ
କପେ ଚା ଦେଇ ଟେବୁଲ୍ ପାଖରେ
ଠିଆ ହୋଇ ଗଲେ ପାଖେ ଶ୍ରୀମତୀ
ଆଖିରେ ଆଖି ଟା ମିଶିଗଲା ପରେ
ମୁରୁକି ହସଟେ ଦେଲି ମୁଁ ହସି ।
କାହିଁକି ହସିଲ ମନେ ମନେ ତୁମ
ତୃଟି ରହିଲା କି କେଉଁଠି ମୋର
ନକହିବା ଯାଏ ଏଠାରୁ ଯିବିନି
କବିତା ଲେଖାରେ ପଡ଼ିବ ଡୋର ।
କହୁଅଛି ଏବେ ମନ ଦେଇ ଶୁଣ
ଭାବିବନି ମିଛ କହୁଛି ମୁହିଁ
ରାହୁ ଶନି ଦୁଇ ଗ୍ରହ ଆମପାଇଁ
ଦୁଃଖ ବୋଝ ଧରି ଆସନ୍ତି ଧାଇଁ ।
ବନ୍ଧୁ ଜଣେ ମୋର ଦେଲେ ଉପଚାର
ସରଳ ଭାବରେ ଦେଲେ ବୁଝାଇ
ସ୍ଵାମୀ ପାଦେ ବାସ ଶନି ଦେବଙ୍କ ର
ଘରଣୀ ହାତରେ ରାହୁ ବସଇ ।
ସେହି କଥା ଭାବି ହସି ଦେଲି ମୁହିଁ
ଥିଲ ବୋଲି ତୁମେ ମୋର ପାଖର
ଯଦି ରାହୁ ଶନି ଆମ ପାଖେ ପାଖେ
ବିପତ୍ତି ଆସିବ ଅନେକ ବାର ।
ରାହୁ ଶନି ଦେବା ପାଖରୁ ଦୂରେଇ
କରି ଅଛି ମୁହିଁ ଗୋଟେ ଉପାୟ
କଥା ମୋର ମାନି ଉପାୟ ଟି ଶୁଣ
ନିତି ଧ୍ୟାନ ଦେଲେ ହୋଇବ ଜୟ ।
ତୁମ ହାତ ରାହୁ ମୋ ପାଦ ଶନି କି
ଘଷି ମୋଡ଼ି ଦେଲେ ଅନେକ ଥର
ଛାଡି ପଳାଇବେ ନିତି ଏହା କଲେ
ରାହୁ ଶନି ଭୟ ହୋଇବ ଦୂର ।
