ଶ୍ରାବଣ ଆସିଲେ
ଶ୍ରାବଣ ଆସିଲେ
ଧୁ ଧୁ ଖରା କେତେ ଗାଧୋଇଛି ଧରା
ସୃଷ୍ଟି ନିୟମ ଚକ୍ରର
ନୁଖୁରା ଶରୀରେ ପ୍ରାଣ ସଞ୍ଚାରିଛି
ଶ୍ରାବଣର ବାରି ଧାର ।
ଜଳ, ସ୍ଥଳ,ନଭ ରୂପ ବଦଳାଇ
ଦିଶଇକି ମନୋହର
ପ୍ରାଣୀ ପ୍ରାଣ ଜାଗେ ତୁମ ଆଗମନେ
ଜୀବ ଜୀବନ ଆଧାର ।
ଚଉଦିଗ ସାରା ଶସ୍ୟ ଶ୍ୟାମଳା
ତରୁ ତୃଣ ଲତାଙ୍କର
ହସେ କୃଷି କ୍ଷେତ୍ର ସ୍ପର୍ଶେ କାହା କର
ମୁଖେ ଦେବାକୁ ଆହାର ।
ଭିମ ଭୌରବ ରୂପ କାନ୍ତି କେବେ
କେବେଟି ଶାନ୍ତ ସୁଧାର
ଡହଳ ବିକଳ କରାଅ ଜୀବନ
ଝରିଲେ ଟି ନିରନ୍ତର ।
ଜୀବନ ସଭିଙ୍କ ସୁଖ ଦୁଃଖ ଭରା
ତୁମେ ତ ଚାରି ଦିନର
ତୁମେ ଗୋ ଶ୍ରାବଣ ସମୟ ହସ୍ତରୁ
କିପରି ହୋଇବ ଦୂର ।
