STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବିଶ୍ୱାସେ ମିଳଇ ହରି

ବିଶ୍ୱାସେ ମିଳଇ ହରି

2 mins
421


ବିଶ୍ଵାସରେ ଭାବ,ଭାବ ଧାରେ ଭକ୍ତି

ଭକ୍ତି ଭାବ ଏକ ଶକ୍ତି

ହୃଦେ ଭକ୍ତି ଭାବ ନେଲେ ଶକ୍ତି ରୂପ 

ଶ୍ରୀହରି ଆପେ ପ୍ରାପତି 

ବିଶ୍ୱାସ ସୂତ୍ରରେ ବନ୍ଧା ଏ ଜଗତ

ପଶୁ ହେଉ ବା ମଣିଷ

ସମ୍ପର୍କର ସେତୁ ଆପେ ହୁଏ ଦୃଢ଼

ମାଧ୍ୟମ ମାତ୍ର ବିଶ୍ୱାସ

ଶ୍ରୀହରି ସହିତ ସମ୍ପର୍କ ସ୍ଥାପନେ

ବିଶ୍ୱାସ ହିଁ ସର୍ବୋପରି

ପିତା-ମାତା,ପତି-ପତ୍ନୀ,ଭ୍ରାତା-ଭଗ୍ନୀ

ବିଶ୍ୱାସେ ବନ୍ଧା ଯେପରି

ଶ୍ରୀହରି ସର୍ବତ୍ର ବ୍ୟାପି ରହିଛନ୍ତି

ବେଦ ଶାସ୍ତ୍ର ଧାରେ ମତ 

ବିଶ୍ୱାସ ଭିତ୍ତିକ ତଥ୍ୟ ସର୍ବୋପରି

ବିଶ୍ଵାସର ଆଧାରିତ 

ବିଶ୍ୱାସେ ମିଳଇ ହରି ପ୍ରବାଦର 

ଧର୍ମ ଶାସ୍ତ୍ରରେ ଦୃଷ୍ଟାନ୍ତ

ଧ୍ରୁବ ପ୍ରହଲ୍ଲାଦ ବିଶ୍ୱାସ ବଳରେ

ହେଲେ ଶ୍ରୀହରି ପ୍ରାପତ 

କୁରୁ ସଭା ମଧ୍ୟେ ଅସହାୟ ବେଳେ

ଦ୍ରୌପଦୀ ବିଶ୍ୱାସ ଧାରେ

ଲଜ୍ଜ୍ୟା ନିବାରଣ ପାଇଁ ନିବେଦନ

ହରି ରକ୍ଷା କଲେ ବାରେ

ଗଜ ଓ ମୃଗୁଣୀ ବିଶ୍ୱାସ ସହିତ

ଚିନ୍ତା କଲେ ରଖ ହରି

ବିଶ୍ଵାସର ଫଳ ଅବଶ୍ୟ ଫଳିଲା 

ରକ୍ଷା କରିଲେ ଶ୍ରୀହରି

କାଷ୍ଠ ପାଷାଣର ପ୍ରତିମା ପୂଜନ

ବିଶ୍ୱାସ ମାତ୍ର ଜଡ଼ିତ

ବିଶ୍ୱାସ ହିଁ ମାନ୍ୟତାର ମୂଳ ମନ୍ତ୍ର

ଭକ୍ତି ବି ବିଶ୍ୱାସ ଯୁକ୍ତ

ଶ୍ରୀହରି ରୂପକ ଡ଼ଙ୍ଗା ଭାସି ଆସେ

ବିଶ୍ଵାସର ଢେ଼ଉ ବଳେ

ବିଶ୍ୱାସ ବଳରେ ଖମ୍ବରୁ ପ୍ରକଟ

ପ୍ରହଲ୍ଲାଦ ଡାକ ବେଳେ

ବିଶ୍ୱାସ ଓ ଭାବ ଥିଲେ ହିଁ ନିକଟ

ଅବିଶ୍ବାସରେ ଅଭାବ

ବିଶ୍ଵାସ ହିଁ ଏକମାତ୍ର ମହଷୌଧି 

ଭାବ ଆପେ ଆପେ ହେବ


ମଣିଷ ହୃଦୟେ ଦେଖି ଦିବ୍ୟ ଜ୍ଞାନ

ସୃଷ୍ଟିକର୍ତ୍ତା ବା ବିଧାତା

ସନ୍ତୋଷ ଚିତ୍ତରେ କରିଲେ ଘୋଷଣା

ଶ୍ରେଷ୍ଠ ଜୀବର ମାନ୍ୟତା 

ଅନ୍ତଃକରଣ ର ଶ୍ରେଷ୍ଠ ଭାବ ସଦା

ବିଶ୍ଵାସରେ ଆଧାରିତ

ସଦଗୁଣ-ସଦାଚାର ଭାବ ବ୍ୟକ୍ତି

ସାଧୁ ରୂପେ ବି ପ୍ରତୀତ 

ବ୍ରହ୍ମତ୍ଵ ଲାଭର ବି ଶ୍ରେଷ୍ଠ ସୋପାନ

ବିଶ୍ୱାସରେ ସାଧୁ ସଙ୍ଗ

ତୀର୍ଥ ଭ୍ରମଣର ଆବଶ୍ୟକ ନାହିଁ

ଯଦି ରହେ ସାଧୁ ସଙ୍ଗ 

ଦୁର୍ଲ୍ଲଭ ମଣିଷ ଶ୍ରେଷ୍ଠ ଜୀବ ଭାବେ

ଜନ୍ମି ଏ ମର୍ତ୍ତ୍ୟ ଭୁବନ

ଶ୍ରୀହରି ସାନିଧ୍ୟ ଅବଶ୍ୟ ଲଭିବ

ବିଶ୍ୱାସ ହିଁ ପ୍ରୟୋଜନ 

ହରି ନାମ ଗୁଣ ଭଜନ କୀର୍ତ୍ତନ

ସୁଯୋଗ ଏହି ଜନ୍ମରେ

ସାଧୁ ସଙ୍ଗ ସଦ-ଜ୍ଞାନ ପ୍ରାପ୍ତି ବଳେ

ସମ୍ଭବ ହେବ ଅଚିରେ 


ସଂସାର ଭିତରେ ରହି ସତ୍ୟ ପଥ

ସଦା ହେଉ ଚଲା ପଥ

ହରି ନାମ ନିତ୍ୟ ଭଜନ କୀର୍ତ୍ତନେ

ସାଧୁ ସଙ୍ଗ ହୃଦ ଗତ 

ବେଦ ଜ୍ଞାନ ଅବା ସାଧୁ ସଙ୍ଗ ବିନା

ଶ୍ରୀକୃଷ୍ଣ ଭାବରେ ମଜ୍ଜି 

ବିଶ୍ୱାସ ପୂର୍ବକ ଗୋପେ ଗୋପାଙ୍ଗନା

ମୀରା ପଦେ ଥିଲେ ମଜି

ଯୋଗେଶ୍ୱର ଶ୍ରେଷ୍ଠ ଶ୍ରୀହରିଙ୍କ ନାମ

ମନରେ ହେଉ ଚିନ୍ତନ

ଅନ୍ୟ ସାଧୁ ସଙ୍ଗ ନାହିଁ ପ୍ରୟୋଜନ

ସାଧୁ ଶ୍ରେଷ୍ଠ ନାରାୟଣ 

ସଞ୍ଜମ ଆଚରଣ ବିନା ଦୁର୍ଗତି

ପରିଣତି ସର୍ବନାଶ

ମଣିଷ ଜୀବନ ଅଧୋଗତି ପ୍ରାୟ

କାମନା ରୁ ହିଁ ବିନାଶ

ଭଣ୍ଡ ସାଧୁ ଗଣ ମାଳ ମାଳ ଏଠି

ସ୍ଵଘୋଷିତ ସିଦ୍ଧ ସାଧୁ

ଜଟା ଦାଢ଼ି ବେଶ ଆଢ଼ୁଆଳେ ଲୁଚି

ରହିଛି ଭାବ ଅସାଧୁ 

ନିଜକୁ ନିଜେ ଗଢ଼ି ତୋଳିବାକୁ ହେବ

ସାଧୁ ସମ ରୀତି ନୀତି

ସତ୍ୟ ଧର୍ମ ପରୋପକାର ଓ ସେବା

ବଳେ ସାଧୁ ପଦ ପ୍ରାପ୍ତି 

ପବିତ୍ର ବଳୟ ଭିତରେ ହୃଦୟ

ସଦା ହେଲେ ନିୟୋଜନ

ଆତ୍ମା-ସାଧୁ ନିଜ ହୃଦୟ ଭିତରେ

ଆପେ ପ୍ରାପ୍ତି ବ୍ରହ୍ମ ଜ୍ଞାନ 

ତର୍କ ବିତର୍କର ପ୍ରଶ୍ନ ଉଠୁ ନାହିଁ

ବିଶ୍ୱାସେ ମିଳଇ ହରି

ବିଶ୍ୱାସ ଯେଉଁଠି,ସେଇଠି ସମ୍ପର୍କ

ବିଶ୍ଵାସେ ନିବାସ ହରି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract