ନମସ୍ତେ ମଧୁବାବୁ
ନମସ୍ତେ ମଧୁବାବୁ
ମଧୁବାବୁଙ୍କୁ ମୁଁ ରାତିରେ ଭେଟିଲି
ବସିଥିଲି ତାଙ୍କ ପାଖରେ,
ପଚାରିଲେ ମୋତେ ଓଡ଼ିଶା ଖବର
କହି ଦେଲି ସଂକ୍ଷେପରେ ।
ଜାତି ନନ୍ଦିଘୋଷ ରଥ ଗଡେ ଅଜା
ସ୍ୱାର୍ଥକୁ ସାରଥି କରେ,
ଗଧ ଟାଣୁ ଅଛି ଶଙ୍ଖର ଦଉଡି
ପାଞ୍ଚ ଟଙ୍କା ଆହାରରେ ।
ସ୍ୱାଭିମାନି ତୁମେ ହୋଇଥିଲ ବୋଲି
ଓକିଲଙ୍କ ହେଲ ଦେବତା,
ସତ୍ୟର ପ୍ରକଟ ତୁମେ କରୁଥିଲ
ସତ୍ୟକୁ କରିଲୁ ହତ୍ୟା ।
ତୁମେ ଲଢୁଥିଲ ନ୍ୟାୟ ପାଇଁ ଅଜା
ଆମେ ଲଢୁ ଧନ ପାଇଁ,
ବିଚାରପତି ଭି ବସନ୍ତି ଅସନେ
ଦରମା ଗଣ୍ଡିକ ପାଇଁ ।
ସବୁ ଓଡ଼ିଆଙ୍କୁ ଏକତ୍ରିତ କରି
ଓଡ଼ିଶା ପ୍ରଦେଶ କଲ,
ବଡ଼ ଭାଇ ଏଠି ଉତ୍କଳ ବୋଲାଏ
କୌଶଳ ସାବତ ତୁଲ୍ୟ ।
ଗରିବଙ୍କ ତୁମେ ବ୍ୟାଙ୍କ ଖାତା ଅଜା
ମଧୁ ପେନସନ ନାଁରେ,
ରାଜା ନେତାଙ୍କର ଗୁରୁ ହୋଇଗଲ
ଏବେ ଗୁରୁ ଦିବସରେ ।
ମୋ ପୂର୍ବ ପୁରୁଷ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ତାଙ୍କରି ସନ୍ତାନ ଭିକ ମାଗେ ଏବେ
ମହାନଦୀ ଜଳ ଧାରୀ ।
ଓଡ଼ିଆଙ୍କ ଶ୍ରେଷ୍ଠ ବୋଲାଉଛି ଯିଏ
ଓଡିଆ ପାରୁନି କହି,
ଓଡ଼ିଆ ଭାଷାରେ ଦଣ୍ଡ ବିଧାନ ଟା
କେମିତି ରଖିବେ ଭାଇ ।
ଜାତିର ଉନ୍ନତି ନେତା କରୁଛନ୍ତି
ସ୍ୱାର୍ଥକୁ ସାରଥି ମଣି,
ଏ ଦଳୁ ସେ ଦଳ ନିତି ଡେଉଁଛନ୍ତି
ହାତ ଶଙ୍ଖ ପଦ୍ମ ଗଣି ।
ମୁଁ ପରା ବୋଲାଏ ଓଡ଼ିଆ ସନ୍ତାନ
ଫୋଟ ପରିଚୟ ପାଇ,
ଭୋଟ ଦେବି ଅଜା ଆନନ୍ଦେ ଏଥର
ଦୁଇ ହଜାରଟେ ନେଇ ।
ଶାର୍ଗୁଣା ବିଲୁଆ ଚିକିତ୍ସକ ହୋଇ
ପ୍ରାଣୀଙ୍କୁ କରନ୍ତି ଶବ,
ଚିକିତ୍ସାଳୟ ର ସଂମାନ ବଢାଏ
ଦେଖି ଚାକଚକ ଭାବ ।
ମୁଁ ମନେ ଭାବିଛି ତୋଷମଦ କରି
ବଢ଼ାଇବି ମୋର ମାନ,
ବିକି ସ୍ୱାଭିମାନ ବଢାଏ ସଂମାନ
ପାଇବାକୁ ଯେ ଆସନ ।
ଓଡ଼ିଆ ସନ୍ତାନ ଲାଞ୍ଚ ଦେଇ ନେଇ
ଯାଇଛନ୍ତି ପୁରା ସଢି,
ଲାଞ୍ଚ ଦେଲେ ନେଲେ ବଢାଏ ସମ୍ପର୍କ
ଗଡଇ ସଂସାର ଗାଡ଼ି ।
ସ୍ୱାର୍ଥ ଏଠି ଜାୟା ମିଥ୍ୟା ହୁଏ ପୁତ୍ର
ସଙ୍ଗେ କରିଛନ୍ତି ବାସ,
ରାଜ୍ୟରେ ବିପ୍ଳବ ଘଟିବନି ଆଉ
ସମସ୍ତଙ୍କୁ କଲା ଗ୍ରାସ ।
ତୁମରି ସନ୍ତାନ ବୋଲାଉଛି ଅଜା
ଓକିଲାତି କାମ କରି,
ପେଟର ନାଆରେ ବେପାର କରୁଛି
ହେବିନି ମୁଁ ତୁମ ସରି ।
ଜନନୀ ରୋଦନ ଦେଖି ସହିଯାଏ
ପତ୍ନୀର ଆନନ୍ଦ ପାଇଁ,
ରାତିଟା ମୋହର ରଙ୍ଗୀନ ଆଲୁଅ
ଜହ୍ନ ରାତି ଆଉ ନାହିଁ ।
ପାରିଲେନି ସହି ମୋର ସତ୍ୟ ବାକ୍ୟ
ଗୋଟିଏ ଚାପୁଡ଼ା ଦେଲେ,
ଭାଙ୍ଗି ଗଲା ନିଦ ଦେଖିଛି ସପନ
ସପନରେ ଆସିଥିଲେ ।
ଉତ୍କଳ ଗୌରବ ହେ ମଧୁସୂଦନ
ଚାରି ଅଠେଇସକୁ ଆସ,
ସେ ପୂଣ୍ୟ ତିଥିରେ କହିବ ଓଡ଼ିଆ
ମୋ ମଧୁବାବୁ ନମସ୍ୟ ।
