ଡହଁରା ଶଙ୍କରା ସିଏ
ଡହଁରା ଶଙ୍କରା ସିଏ
ଦିନ ମଜୁରୀଆ ମଣିଷଟି ମୁହିଁ
ମଜୁରୀ ଲାଗିଲେ ଚଳେ,
ଇଏ ସିଏ ମୋତେ ଯିଏ ବି ଡାକନ୍ତି
ତାଙ୍କ କାମ ମୁହିଁ କରେ।
ନାନା କିସମର ଲୋକ ଦେଖୁଥାଏ
ଯେବେ କାମ କରି ଯାଏ,
କିଏ ମୋ ମଜୁରୀ ସାଙ୍ଗେସାଙ୍ଗେ ଦିଏ
କିଏ ବାକି ରଖିଥାଏ।
ଏମିତି ମୁଁ ଦିନେ ମୂଲ ଲାଗିବାକୁ
ଦୂର ଗାଆଁ ଯାଇଥିଲି,
କାମକରି ସାରି ମଜୁରୀ ପଇସା
ବାବୁଙ୍କୁ ମୁଁ ମାଗିଦେଲି।
ବାବୁ କହିଦେଲେ ବ୍ୟାଙ୍କ୍ ଯାଇନାହିଁ
ଆସି ନେଇଯିବୁ କାଲି,
ପର ଦିନ ଗଲି ସାଇକେଲ ପେଲି
ବାବୁଙ୍କୁ କିବା ପାଇଲି ?
ମଜୁରୀ ନ ପାଇ ନିରାଶ ମୁଁ ହୋଇ
ଘରେ ପହଞ୍ଚିଲି ଯାଇ,
ବାରମ୍ବାର ଫୋନ୍ ଯେତେ ଲଗାଇଲି
ଆଉ ସେ ଧଇଲେ ନାହିଁ।
ଠିକ୍ ପର ଦିନ ସାଇକେଲ ପେଲି
ବାବୁ ଘରେ ପହଞ୍ଚିଲି,
ଘରେ ଥାଇ ବାବୁ ପାଟି କରୁଥିଲେ
ବାହାରେ ମୁଁ ଶୁଣିଦେଲି।
କଲିଙ୍ଗ୍ ବେଲ୍ଟା ଚିପି ଦେଲାପରେ
ବାବୁଆଣୀ ଆସିଗଲେ,
କହିଲେ ଏଇନେ ବାବୁ ଘରେଥିଲେ
ବଜାରକୁ ଚାଲିଗଲେ।
ବାବୁ ପରା ଘରେ ପାଟି କରୁଥିଲେ
ବାହାରୁଥାଇ ଶୁଣିଲି,
କେମିତି ଏମିତି ମିଛ କହୁଛନ୍ତି
ଦେବାକୁ ପଡ଼ିବ ବୋଲି।
ଏତିକି କହିଛି ଯିବି ମୁଁ କୁଆଡ଼େ
ବାବୁଆଣୀ ରାଗିଗଲେ,
ଯାଥାଛାକରିକି ମୋତେ ଗାଳିଦେଇ
ହାତ ପୁଣି ଉଠେଇଲେ।
ସେ ଗାଁ ଲୋକଙ୍କୁ କହିଲି ଏ କଥା
ବାବୁଙ୍କ ନାଆଁ ବୁଝିଲି,
ଉପାଧିକୁ ଯୋଡି ନାଁଟି କହିଲେ
ଡହଁରା ଶଙ୍କରା ବୋଲି।
ମଜୁରୀଆଙ୍କର ମଜୁରୀ ବୁଡାନ୍ତି
ଏତେ ବଡ଼ ଧନୀ ହୋଇ,
ଅନ୍ୟକୁ ପଇସା ଦେବାକଥା ତାଙ୍କ
ଜାତକରେ ପରା ନାହିଁ।
ମିଛୁଆ ,ଠାପୁଆ,ଡହଁରା ,ଦଲାଲି
ଏସବୁ ତାଙ୍କର ଗୁଣ,
ଟାଉଟରୀଆ ସେ ଅସତିଆ ତାଙ୍କୁ
ସାତହାତମାପଖୁଣ।
ଅପେକ୍ଷା କରିଲି ନିରାଶ ମୁଁ ହେଲି
ଘରେ ଯାଇ ଫୋନ୍ କଲି,
ଟଙ୍କା ନ ଦେଇକି ଫୋନ୍ରେ ଦେଲେ
ଟଙ୍କା ଫଟୋ ଗୁଡା ଖାଲି।
କହିଲେ ରେ ଦେଖ୍ ଟଙ୍କା ଉଠେଇଲି
ଆସି ନେଇଯିବୁ କାଲି,
ଏମିତି ଅନେକ ଦିନ ଭୁଲେଇଲେ
ଦଉଡି ଦଉଡି ମଲି।
ପଚାଶ ହଜାର ଦରମା ପାଇ ବି
ଲୋକଙ୍କୁ ବି ଘଟୁ ନାହିଁ,
ଦୀନ ମଜୁରୀଆ କେମିତି ବଞ୍ଚୁଛି
ତା'କଥା ବୁଝୁଛି କେହି?
ମଜୁରୀଆଟିଏ ବିଶ୍ଵକର୍ମା ରୂପେ
ଆମ ଘରସିନା ତୋଳେ,
ତେଣୁ ତାଙ୍କୁ ଭାଇ ଅସମ୍ମାନୀତ ହେ
କରିବନି କେତେବେଳେ।
ଏସି ଅଫିସ୍ରେ ବସି ବଡ଼ବାବୁ
ମୋଟା ଦରମା ସେ ପାଏ,
ଗରୀବ ମୂଲିଆ ଖରା ବର୍ଷା ସହି
ମଜୁରୀ ସେ ଖଟୁଥାଏ।
ତା' ମଜୁରୀଟିକ ବୁଡାଇଦେଲେକି
ତାକୁ ବେସମ୍ମାନ କଲେ,
ତା'ତତଲା ଲୁହ ନିଃଶ୍ବାସ ପଡ଼ିବ
ଭାବୁଥିବ ସେତେବେଳେ।
ଆମେ ସଭିଏଁ ତ ମଜୁରୀଆ ଏଠି
ଜଣେ ତ ଏକା ମାଲିକ,
କାମରେ ତ ଆଜ୍ଞା ନାହିଁ ବଡସାନ
କହେ ଅପର୍ତ୍ତି ମୁରୂଖ।
