STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଗୋଡ଼ ମୋଡା ଯନ୍ତ୍ର

ଗୋଡ଼ ମୋଡା ଯନ୍ତ୍ର

1 min
267

ଗୋଡ଼ ମୋଡା ଯନ୍ତ୍ର ମିଳୁଛି ମ‌ଉସା

  ଗୋଟେ ଦି'ଟା କିଣିନିଅ 

ଭାବିଛକି‌ ଆଉ ତୁମ ଗୋଡହାତ

  ମୋଡ଼ି ଦେବେ ବୋହୁ ପୁଅ?


ପୁଅକୁ ଚାକିରି କରାଇ ତ ଦେଲ‌ 

  ତୁମେ ଅବସର ନେଲ 

ଚାକିରିଆ ବୋହୁ ବାଛିବାଛି‌ ତୁମେ

  ପୁଅ ପାଇଁ ଆଣିଦେଲ।


ବାହାଘର ବାସି ଗଲେ ସିଏ ଖସି‌

  ନିଜ ନିଜ ଚାକିରିରେ 

ପୁଅ ରହିଲାଣି‌ ସୁଦୂର ପୁରୀରେ

  ବୋହୁ ପଟାମୁଣ୍ଡାଇରେ।


ଏବେ ଭାବିଲେ କି ଆଉ ଲାଭ ଅଛି

  ସମୟ ଚାଲି ଯାଇଛି 

ଆଖିଲୁହ ତୁମ ଦେବା ପାଇଁ ପୋଛି

  କିଏ ବା ପାଖରେ ଅଛି?


ବୁଢ଼ାବୁଢ଼ୀ ତୁମେ ଘର ଜଗିଥାଅ

  ହାତେ ରାନ୍ଧିବାଢି‌ ଖାଅ 

ସୁନା ଇଟା ଗଢା ଉଆସରେ ଥାଇ

  ଟଙ୍କା ରେଜେଇରେ ଶୁଅ‌।


ଟଙ୍କା ସହ ବାହାଘର ହୁଏ ନାହିଁ

  ଦେହ ସହ ହୋଇଥାଏ 

ଚାକିରୀଆ ବୋହୁ ଖୋଜିବ ଯଦିବା‌

  ଏ ସବୁ ମିଳି ନ ଥାଏ ।


ଦେହର ମିଳନ‌ ଅବଶୋଶ ରହେ

  ନବ ଦାମ୍ପତ୍ୟ ଜୀବନେ 

ତେଣୁ ପଥଭ୍ରଷ୍ଟ ହେବେ ପୁଅବୋହୁ‌

  କେବଳ ଏହି କାରଣେ।


ବେଳେବେଳେ ପୁଅବୋହୁ ପ୍ରେମ ପାଇଁ

  ବିବାହ ବିଚ୍ଛେଦ ହୁଏ 

ସେତେବେଳେ କିନ୍ତୁ ନେଡ଼ିଗୁଡ଼ ଆଜ୍ଞା

  କହୁଣୀକୁ ବୋହିଯାଏ।


ଆଦର୍ଶ ଗୃହିଣୀ ବୋହୁ କରିଥିଲେ

  ଏକତ୍ର ରହି ଥାଆନ୍ତ‌ 

ବୋହୁ ହାତ ପର୍ଶା ଅନ୍ନ ଖାଇଥାନ୍ତ‌

  ମୋଡାଘଷା‌ ବି ପାଆନ୍ତ।


ଟଙ୍କା ଯଦି ଚାହଁ ସେବା ଭୁଲିଯାଅ

   ଆଉ ଆଶା କର କାହିଁ 

ମୋଡାଘଷା ଯନ୍ତ୍ର ଏବେ କିଣିଆଣ

   ପୁଳାପୁଳା ଟଙ୍କା ଦେଇ।


ଯନ୍ତ୍ର ମୋଡା ଘଷା କରିବ ତୁମକୁ

  ବିଭିନ୍ନ ରନ୍ଧା ଖୋଇବ‌ 

ଟଙ୍କା ବି ପାଇବ ପାଦଧୁଆ ପାଣି

  ମେଡ଼ିକାଲ ପୁଣି ନେବ।


ତୁମ ପେନସନ ପୁଅ ବୋହୁ ଧନ

  ଏତେକ ବି ଘଟୁ ନାହିଁ 

ଆହୁରି ଟଙ୍କାରେ ଆଶା ରଖିଅଛ

  ମଲେକି ଯିବ ହେ ନେଇ?


ପୁଅ ଯଦି ତୁମ ଚାକିରିଆ ଅଛି

   ଘରଣୀ ବୋହୁଟି ଆଣ 

ଚାକିରିଆ ବୋହୁ ଘରକୁ ଆଣିଲେ

   ଏ ଦୁର୍ଦ୍ଦଶା ହେବ ଜାଣ।


ଆଜି ବୁଢାଦିନେ କାନ୍ଦିଲେ କି ହେବ

   ଟଙ୍କା କି ସବୁ କରିବ 

ପୁତ୍‌ ନାମେ ନର୍କୁ ଉଦ୍ଧାର ପାଇଁକି

   ପୁତ୍ର ଛଡ଼ା କିଏ ହେବ?


ପାଠପଢି ଯଦି ଚାକିରୀଟି ନାହିଁ

   ସେ କ'ଣ ଶିକ୍ଷିତ ନୁହେଁ 

ନା ଶିକ୍ଷାର ସମ୍ପର୍କ ଚାକିରୀରେ ଥାଏ

   ଶାସ୍ତ୍ର କି ଏ କଥା କୁହେ?


ଶିକ୍ଷିତ ମୂର୍ଖଟି‌ ବେଶୀ ଭୟଙ୍କର

  ଅଶିକ୍ଷିତ ମୂର୍ଖ ଠାରୁ 

ସିଏ ହୁଏ ଜ୍ଞାନୀ ଯେ ସଂସ୍କାର ଶିଖେ

   ଆମ ଏଇ ସମାଜରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy