STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କେବେ ପଡ଼ିବ ମୋହର ଶ୍ରାଦ୍ଧ?

କେବେ ପଡ଼ିବ ମୋହର ଶ୍ରାଦ୍ଧ?

1 min
121


ସିଏ ତ କହୁଛି ଇଏ ତ କହୁଛି

    ତୁମେ ବି ତ କହୁଅଛ,

ମୁଁ ବି କହୁଛି ମୁଁ ହଡାବଳଦ

    ଏଥିରେ ନାହିଁ ଦ୍ଵିମତ।


କଂସେଇ ହାତରେ ବିକି ଦେବାପାଇଁ

   ଚାଲିଛି ବିଚାର ଫାନ୍ଦ,

ପାଖ ମାଡନ୍ତିନି ମୋ ଦେହରୁ କାଳେ

    ବାହାରୁଛି ଦୁରୁଗନ୍ଧ।


ଗୋଠେ ଅଟକିଲି ନିରେଖ ହୋଇଲି

    ଧରେ ଖାଲି ଥଣ୍ଡା ସର୍ଦ୍ଦ,

ବାଟ ଘାଟ ମତେ ଦିଶୁନି ଭଲକି

    ହୋଇଗଲିଣି ବି ଅନ୍ଧ।


ହେ ଭଦ୍ରଲୋକ ହେଲି ମୁଁ ଫେରାଦ

    ବୁଝିଲ କି ଭଲମନ୍ଦ,

ବଳନାହିଁ ବୋଲି ବୁଢାହେଲି ବୋଲି

    ମୋତେ ଭାବ ବୁଢାଗଧ।


ଦେହ ଥୁରୁଥୁରୁ,ଆଖି ଜୁଳୁଜୁଳୁ

    ନାକ ମୋର ସୁଡୁସୁଡୁ,

ଅଣ୍ଟା ନୁଡୁବୁଡୁ କଣ୍ଠ ଖୁଡୁଖୁଡୁ

    ଚମଡା ମୋ ଧୁଡୁଧୁଡୁ।


ଖୁଁ ଖୁଁ କାଶ ଛାଡେନା ମୋ ପାଖ

    ବୋହୂ ଗାଳି ଦେଉଥାଏ,

ବାଡ଼ିପଡା ବୁଢ଼ା ମରୁନାହିଁ ପରା

    ଶାନ୍ତିରେ ଶୋଇ ନ ଦିଏ।


ଜରାଶ୍ରମେ ନେଇ ଛାଡିଆସ ଯାଇ

   ସେଇଠି ସେ ବୁଢା ମରୁ,

ମଣିଷ ଏଇଠି ପାଉଛିକି ଶାନ୍ତି

    ଏଇ ବୁଢ଼ା ଜଞ୍ଜାଳରୁ?


ଗୋଟେବୋଲି ପୁଅକେତେସରାଗରେ

    ନାଁ ଦେଲି ପୂର୍ଣ୍ଣାନନ୍ଦ,

ନନ୍ଦ ହୋଇ ମୁହିଁ କାନ୍ଧେ‌ଥିଲି ବୋହି

    ମୁଁ ଅଭାଗା ସେ ମାଧ।


ପାଖକୁ ନାତିକି ଛାଡୁ ତ ନାହାନ୍ତି

    ଶୁଂଘେଇ ଦେଇକି ଗଦ,

ମୋତେତଛୁଇଁଲେ ସେମାନଙ୍କୁକାଳେ

    ଡେଇଁବ କରୋନା ରୋଗ । 


ଅରୁଚି ପାଟି ମୋ ଆଇଁଷକୁ ଝୁରେ

     ଜିଭ ଖୋଜେ ଭଲ ସ୍ଵାଦ,

ଶଳା ଶଶୁରଙ୍କୁ ଖୁସି କରିବାକୁ

    ଭଲ ତ ମାଉଁସ ରାନ୍ଧ ! 


ବୟସ ବେଳରେ ଇଟା ବୋହିବୋହି

    ଛିଡେଇଛି ମୋର କାନ୍ଧ,

ଆଜି ବୁଢାକାଳେ ବନ୍ଧା ମୁଁ ପଘାରେ

    କରିଛି କି ଅପରାଧ? 


ଦେଖୁ ଦେଖୁ ମୋର ହୁଏ ଶେଷକାଳ

    ନାହିଁ ଭାଗବତ ପଦ,

ତୁଣ୍ଡେମୋଦେଲେନି ନିର୍ମାଲ୍ୟ ତୁଳସୀ

    ଦେଲେନି ମହାପ୍ରସାଦ।


କଣ୍ଠ ଗଦଗଦ ରଖ ହେ ଗୋବିନ୍ଦ

     ହୋଇଗଲା ଶ୍ୱାସରୁଦ୍ଧ,

ହେ ଜ୍ଞାତି କୁଟୁମ୍ବ ଦିଅ ଚାରିକାନ୍ଧ‌

    କୋକେଇ ମୋ ଶୀଘ୍ର ବାନ୍ଧ।


ରେ କୁମର ମଣି ମୋ ଦୁଃଖୀ ସଙ୍ଖାଳି

     ଲଗାଅରେ ମୋଠିଁ କାନ୍ଧ,

ଖ‌ଇକ‌ଉଡିକୁ ବିଞ୍ଚି ଗୋବରରେ

     ଲିପିଦିଅ ବାବୁ ଦାଣ୍ଡ।


ବଞ୍ଚିବାରେ ସିନା ତୁ‌ଣ୍ଡେ ନ ମିଳିଲା

     ତଥାପି ମୋ ଆଶୀର୍ବାଦ,

ଆଗକୁ ଖାଇବି ଚାହିଁଅଛି କେବେ 

     ପଡ଼ିବ ମୋହର ଶ୍ରାଦ୍ଧ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy