STORYMIRROR

Jyostna mishra

Fantasy Others

3  

Jyostna mishra

Fantasy Others

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
195


ବେଳେବେଳେ ଇଛା ହୁଏ 

ସଞ୍ଜ ଗଡିଗଲେ,

ଭେଟିବାକୁ ଯାଆନ୍ତି ଜହ୍ନକୁ,

କିଛି କଥା କହିବାକୁ,

ମନଖୋଲି କେବେ,

ଅନ୍ଧାର ଆସିଲେ ଝରକା ସେପାଖୁ ।।


ମୁହଁ ଦିଶେନି କାଚର ଆଇନାରେ,

ଦୂର ଆକାଶର ଭାସମାନ

ବଉଦ ଫାଙ୍କରେ,

ଚାଳଘର କୋଣେ,

ଡିବିର ଆଲୁଅ ଫିକା ଛାଇ ଧାରେ ।।


ଅନ୍ଧାରରେ ରାତିର ଵୟସ,

ରଜନୀଗନ୍ଧାରେ କବରୀ ଉଛୁଳେ,

ମହକରେ କିଛି ସ୍ମୃତି ବିସ୍ମରଣ

ତଥାପି ଋତୁ ବିତିଗଲେ 

ଜହ୍ନରାତି ଅପାସୋରା ଲାଗେ ।।


ନିରାଶାରେ ଆଶା ମାଡିଆସେ,

ହାତ ପାଆନ୍ତାରେ ସାକ୍ଷୀ ହୁଏ ଜହ୍ନ,

ପୁଣି ନିଦର ପଣତେ

ଦି ଟୋପା ଲୁହରେ

ହଜିଯାଏ ରାଗରୁଷା ମାନ ଅଭିମାନ ।। 


ଏବେବି ସେହି ରାତି ଅଛି

କାହାଣୀରେ ନୂଆ ରୂପ ନାହିଁ

ଜହ୍ନ ବି ସଫେଦ ଦିଶେ  

ନୀଳ ଆକାଶର ଚାନ୍ଦୁଆ ଭିତରୁ

ଠିକ୍ ଯେମିତି ଚକ୍ ଚକ୍ କରେ

ସିନ୍ଦୁର ଟୋପା ମୋ ଲାଜୁଆ ମୁହଁରୁ ।।


ସ୍ମୃତି ହେଉ ପଛେ ଅତୀତ ବଳୟର

ନିରୋଳା ମୂହୁର୍ତ୍ତର

ଚିତ୍ରିତ ସନ୍ଧ୍ୟାରେ, 

କିଛି ଶବ୍ଦର ଛନ୍ଦ,

ନିବିଡତା, ହୃଦୟ ସ୍ପନ୍ଦନ ।।


ଜହ୍ନ ବି ସମର୍ପିତ ଝରଣାର କବରୀରେ,

ଇପ୍ସିତ ପୂର୍ଣ୍ଣିମା ରାତିରେ

ନିଃସର୍ତ୍ତ ନିୟମର,

ଆବେଗ ରେ, ଉଲ୍ଲାସର

ଅସ୍ଥିର ଆପଣା ପଣରେ ।।


ମୋ କଥାର ଉତ୍ତାପରେ

ଜୀବନ ସଂଗୀତ ମୂର୍ଚ୍ଛନା,

ନୀରବ ଫଗୁଣର ରଙ୍ଗ,

ଦିନ ପରେ ରାତିର

ଭିଜା ସକାଳର ସବୁ 

ସଯତ୍ନ ତରଙ୍ଗ 

ସବୁ ଅଦେଖା ସପନ

ଲୁଚିଲୁଚି ଫିଙ୍ଗି ଦେଇ

ଜହ୍ନ କୁ କହନ୍ତି

ସବୁ ଅଗଣାରେ ତୁ ଆସୁଥା'।


ତୁଳସି ଚଉରା ପାଖରେ

ଦୀପଟିଏ ଜଳୁପଛେ,

ତାରା ପାଖେ ଦେଖୁଥିବି ତତେ,

ପଦୁଅଁ ପତରେ,

ଜଳ ବିନ୍ଦୁପରି ତୁ ଦିଶୁଥିବୁ 

ଠିକ୍ ମୋ କପାଳର

ଟୋପାଏ ସିନ୍ଦୁର କି ସତେ !।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy