ସ୍ତ୍ରୀ
ସ୍ତ୍ରୀ
ଖୋଲା ଆକାଶରେ ଘୁରି ବୁଲୁଥିଲା
ସୁନ୍ଦର ଗୋଟିଏ ଶାରୀ
ଉଡି ଆସି ଦିନେ ମୋ ପାଖେ ବସିଲା
କଥା କୁହେ ଥିରି ଥିରି I
ଦୁଧ ଭାତ ତାକୁ ଖାଇବାକୁ ଦେଲି
ଆଉଁସିଲି କେତେମତେ
ମୋ ଘରକୁ ସିଏ ନିଜର କରିଲା
ସଜାଡିଲା ନିଜ ହାତେ I
ପଚାରିଲି ଦିନେ ଖୋଲା ଆକାଶ କି
ମନେ ପଡୁନାହିଁ ତୋର
କହିଲା ପୁରୁଣା ଘର ସେ ମୋହର
ଜମା ନୁହେଁ ଭୁଲିବାର I
ଆଦରରେ ତାର ପିଠି କୁ ଆଉଁସି
କହିଲି ଯାଆ ତୁ ଘର
ସରାଗେ କହିଲା ସିଏ ସିନା ଘର
ଏ ମୋର ସରଗ ପୁର I
ସିଏ ମୋର ସ୍ତ୍ରୀ ସୁଖ ଦୁଃଖ ସାଥୀ
ମୋ ଘରର ଲକ୍ଷ୍ମୀ ସିଏ
ତା ହାତ ସ୍ପର୍ଶରେ ଘରର ପ୍ରତିଟି
ଧୁଳିକଣା କଥା କୁହେ I
ତା ମଥାର ନାଲି ସିନ୍ଦୂର ବିନ୍ଦୁରେ
ଦିଶୁଥାଏ ମୋର ମୁହଁ
ତା ହାତର ଚୁଡି ସଂସାରର ବେଡି
ମୋ ଆୟୁଷ ବାର୍ତ୍ତାବହ I
ସଂସାର ରଥର ସାରଥି ସେ ମୋର
ଜୀବନର ସବୁ ଖୁସି
ସବୁ କଷ୍ଟ ମୋର ହଜିଯାଏ କେଣେ
ଦେଲେ ସେ ଟିକିଏ ହସି I
