ପ୍ରିୟତମା
ପ୍ରିୟତମା
କେବେ ତୁମ ଆସ ସପନରେ
ଗୋପନରେ ନିଝୁମ୍ ରାତିର ପ୍ରହରରେ
ନେଇଯାଅ ହାତଧରି ଅଜଣା ସହରେ
ନିଦ ଭାଙ୍ଗି ଯାଏ ତୁମ ବାସ୍ନାୟିତ ଓଠର ଚୁମ୍ବନରେ
ସପନଟା ସରିଯାଏ ମୋର ସେହି ମୁହୂର୍ତ୍ତରେ
ଭରିଗଲା ପରି ଲାଗେ ଚତୁର୍ଦ୍ଦିଗ ତୁମ ଦେହର ବାସ୍ନାରେ
ତୁମ କଥା ଭାବି ଭାବି ସରିଯାଏ ରାତି ମୋ ଅଜାଣତରେ।।
କେବେ ତୁମେ ଆସ ପୁଣି କୁଆଁତାରା ଖୋସିଣ ଗଭାରେ
ପ୍ରଭାତର ସିନ୍ଦୂରାୟିତ ଆକାଶର ପଥଧାରେ
କଅଁଳ କଅଁଳ କାକର ଭିଜା ଘାସର ଦେହରେ
ମୁକ୍ତାସମ ଜାଜ୍ଜ୍ବଲ୍ୟମାନ କାକର ଟୋପାରେ
ସକାଳର ଶାନ୍ତ ଆକାଶେ ମୋତିଝରା ଅରୁଣିମାରେ
ହାସ୍ୟମୟି ଲାସ୍ୟମୟି ସ୍ନାନ ଫେରା ଭିଜା ବସନ ଭିତରେ
ସ୍ବପ୍ନାଦେଶେ ନେଇଯାଅ ତୁମ ଅଧରର ମଧୁଝରା ହସରେ ।।
କେବେ ତୁମେ ଆସ ପୂର୍ବାହ୍ନର ସ୍ପଷ୍ଟ ଅରୁଣିମାରେ
ଲାସ୍ୟମୟ ହାସ୍ୟମୟ ତରଙ୍ଗାୟିତ ଗୋଲାପୀ ଅଧରେ
ସୁକୋମଳ ହାତରେ ଲାଲ ଗୋଲାପଫୁଲ ତୋଡାରେ
ହସ ହସ ବଦନରେ ପ୍ରୀତିର ଅପୂର୍ବ ପୁଲକରେ
ସିକ୍ତ କରିଦିଅ ହୃଦ ପ୍ରାଣ ତୁମ ମିଠା ଦ୍ବିପଦ କଥାରେ
ଗଢିଦିଅ ସମ୍ପର୍କର ଆୟନୀୟ ବନ୍ଧ ଆମ ମଧ୍ୟରେ
ଦିନପରେ ଦିନ ଗଡିଯାଏ ସେହି ମଧୁମୟ ସମ୍ପର୍କରେ ।।
କେବେ ତୁମେ ଆସ ପୁଣି ନୀଳ ଗଗନ ନୀଳିମାରେ
ଆକାଶ ସମ ବିଶାଳ ହୃଦୟରେ ସମ୍ପର୍କର ନିବିଡତା
ରେ
ମେଘର ମହ୍ଲାରରେ ଘଡଘଡି ଶବଦରେ ଚପଳା ଚମକରେ
ତାରାଗଣ ମେଳେ ଦିଗନ୍ତ ବିସ୍ତାରି ପୂର୍ଣ୍ଣିମାର ଜହ୍ନ ରାତିରେ
ଆକାଶର ନିସ୍ତବ୍ଧତାରେ ଦିଗଙ୍ଗନା ଦେବୀଙ୍କ ନିର୍ଦ୍ଦେଶରେ
ଆକାଶର ନୀଳପରିଟିଏ ହୋଇ ଆସ ତୁମେ ମୋର ଭାବନାରେଗ
ଭାବାନ୍ତର ସୃଷ୍ଟିହୁଏ କ୍ଷଣକରେ ଝିଙ୍କାରିର ଝିଁ ଝିଁ ଝଙ୍କାରରେ।।
ତୁମେ କେବେ ଆସି ପୁଣି ଦେଖାଦିଅ ପ୍ରେମର ତାଜମହଲରେ,
କେଦାର ଗୌରୀର ପବିତ୍ର ମନ୍ଦିରେ କୋଣାର୍କର ଭଗ୍ନସ୍ତୁପପରେ,
ଭାବନାର ସାଗର ଢେଉରେ ଉତ୍ତାଳ ଜୁଆରରେ ଅବା ଭଟ୍ଟାରେ,
ସାଗରରେ ଭାସମାନ ନଉକାରେ ପବନର ହିଲ୍ଲୋଳରେ
ଗୋଧୂଳିର ହମ୍ବା ରଡି ଭିତରେ ସଞ୍ଜବତୀ ଜାଳି ବଧୂବେଶରେ
ସବୁ ସୁଖ ଦୁଃଖ ସାଥି ଅର୍ଦ୍ଧାଙ୍ଗିନୀ ରୂପେ ମଧୁଶଯ୍ୟାରେ
ଆଖିର ପଲକରେ ସ୍ମୃତିର ଆଇନାରେ ସୁମଧୁର ଭାବନାରେ।।
କେବେ ପୁଣି ଆସ ତୁମେ ଭାବନା ଆକାଶ ଅଙ୍ଗନରେ
ଦିନ ଯାଏ ସରି ରାତି ଯାଏ ପାହି ଭବନାରେ ତୁମ ବିରହରେ
ସମ୍ପର୍କର କୋଣାର୍କ ଭାଙ୍ଗିଯାଏ ଆବଶ୍ୟକତା ସରିଗଲାପରେ
ହିସାବ ନିକାଶ କରୁ କରୁ ଉଭା ଚିତ୍ରଗୁପ୍ତ ପଞ୍ଜିକା ହାତରେ
କିଛି କହିବା ଆଗରୁ ଚାଲିଯାଅ ତୁମେ ଦୂରେ ବହୁ ଦୂରେ
ସବୁଦିନ ପାଇଁ ସ୍ମୃତିଟିଏ ହୋଇଯାଅ ମୋ ବିଦଗ୍ଧ ପ୍ରାଣରେ
ଦଂଶନ କରି ହୃଦୟକୁ ମୋର ଝରିଯାଅ ଚକ୍ଷୁ ଲୋତକରେ।।