ଭିଜିଗଲି ତୁମରି ପ୍ରେମରେ
ଭିଜିଗଲି ତୁମରି ପ୍ରେମରେ
ଅସରନ୍ତି ଥିଲା ଜୀବନ ସାରଣୀ
ତୁମେ ଥିଲ ଲକ୍ଷସ୍ଥଳ
ମରୁଭୂମୀର ମୁଁ ଶୋଷିଲା ପଥିକ
ତୁମେ ସୁଶୀତଳ ଜଳ I
ମନ ଆକାଶରେ ତୁମ ଚିତ୍ରଟିଏ
ଆଙ୍କିଥିଲି ଯେଉଁଦିନ
କାନରେ ଗୁଞ୍ଜରି ଉଠିଥିଲା ସଖୀ
ପ୍ରଣୟର ମଧୁସ୍ୱନ I
ଜୀବନ ବହିର ପ୍ରତିଟି ପୃଷ୍ଠାରେ
ଦିଶୁଥିଲା ତୁମ ରୂପ
ମାନସପଟରେ ଚିରସ୍ଥାୟୀ ହେଲା
ତୁମରି ପାଦର ଛାପ I
ତୁମ ମନତଳ ପ୍ରେମର ତରଙ୍ଗ
ମୋ ମନକୁ ଗଲା ଛୁଇଁ
ଜହ୍ନଟିଏ ହୋଇ ଆକାଶେ ଉଇଁଲି
ତୁମେ ହେଲ ନୀଳକଇଁ I
ଭାରି ଡର ମୋତେ ଅନ୍ଧାର ରାତିକୁ
କାଳେ ତୁମେ ହଜିଯିବ
ଏତିକି ବୁଝିଛି ତୁମ ଦେହ ବାସ୍ନା
ମୋତେ ଖୋଜି ପାଇଯିବ I
ଏତେ ଦୀର୍ଘ ମୋର ଯାତ୍ରାପଥ ସଖୀ
ତୁମ ପାଖେ ହେଲା ଶେଷ
ଭିଜିଗଲା ପରେ ତୁମରି ପ୍ରେମରେ
ହଜିଗଲା ଅବସୋସ I