ଯୌବନ
ଯୌବନ
ଗୋଟେ ଧାଡ଼ିରେ ଯୌବନ
ବସନ୍ତ ,ଶୀତ ଓ ବର୍ଷାର କମ୍ପନ।
ଏମିତି ଜୀବନ ନାହିଁ
ଯୌବନ ର ରଙ୍ଗ କୁ ଯେ ବୁଝି ପାରି ନାହିଁ ,
ବସନ୍ତ ର ଆମନ୍ତ୍ରଣେ
ହଜାଇ ନାହିଁ କେ ମନ
ପୁଷ୍ପାୟିତ ହୋଇନାହିଁ ହୃଦୟ କୋରକ
ଫଗୁଣ ର ଫୁଲ ମଖା ସ୍ନେହେ
ଖୋଜି ନାହିଁ ମନ ଟିଏ
ଫୁଲ ସଞ୍ଜ ଲୋଡ଼ି ନାହିଁ
ରୋମାଞ୍ଚିତ ହୋଇନାହିଁ
ବିସ୍ମୟ ର ମଧୁବନେ
ଗଢ଼ିନାହିଁ କୁଞ୍ଜ ଟିଏ
ଇଚ୍ଛା ର ରଙ୍ଗରେ ।
ରଙ୍ଗୀନ କରିନି ଚିତ୍ରଶାଳା
ପକ୍ଷୀରାଜ ଘୋଡ଼ା ଚଢ଼ି
ବୁଲିନି କେ ଘୋର ବନେ
ବିଚିତ୍ର ଉଦ୍ୟାନେ ।
ଏମିତି ଯୌବନ ନାହିଁ
ଯିଏ ଥରେ ମନ ବିକିବାକୁ
ପଶି ନାହିଁ ସ୍ବପ୍ନ ର ହାଟ ରେ ,
ରହିନାହିଁ ଅତନ୍ଦ୍ର ନୟନେ
ଏମିତି ଯୌବନ ନାହିଁ
ଶୀତ ର ଉତ୍ତାପ ଯେ ଲୋଡ଼ି ନାହିଁ
ଦେହ ଭୂଗୋଳ ରୁ
ଯୁଗଳ ବନ୍ଦୀ ର ଚିତ୍ର ହଜାଇ ଦେଇଛି
ଆଖି ପଲକ ରୁ ।
ଥରେ ମନ ବିକିଦେଲେ
ସ୍ବପ୍ନ ଜମା ସରେ ନାହିଁ
ବଢ଼ି ପରି ମାଡୁ ଥାଏ
ଆଖି ପଲକ ରେ ।
ଏମିତି ଆଖି ନାହିଁ
ଯୌବନ ର ମହୁଲି ନିଶା କୁ
ଆଡ କରି ଅଭିମାନେ
ଅଭାବ ବୋଧ ଓ ତିତିକ୍ଷା ରେ
ଲୁହ ନ ଢ଼ାଳିଛି
ଏକାନ୍ତରେ ।

