ଶେଷ ଅଭିଳାଷ
ଶେଷ ଅଭିଳାଷ
ସପନ ହସୁଛି ଗୋଲାପୀ ଗୋଲାପୀ
ଅନ୍ଧାର କୁ କହେ ରହ
କୋଳେଇ ନେଉଛି ଅସୁମାରୀ ଆଶା
ଧୀରେ ଧୀରେ ଆସି ଛୁଅଁ ।
ତୁମେ ଛୁଉଁ ଥିବ ସପନ କୁ ମୋର
ବଢ଼ି ଯାଉଥିବ ରାତି
ଅଚିହ୍ନା ଶବଦେ ମନ ଆତଙ୍କିତ
ବାଢ଼ି ଦିଅ ମିଠା ପ୍ରୀତି ।
ନୀରବହସରେ ଫିଙ୍ଗି ଦେଉଥାଅ
ଓଠେ ମୁଠେ ପ୍ରତିଶ୍ରୁତି
ଅସାର ଆଶାରେ ଭାଙ୍ଗି ପଡୁଥାଏ
ପ୍ରୀତିକୁ ମଣଇ ଭୀତି ।
ଶୀତ ରାତି ଶୋଷ ତୁମେ ପ୍ରିୟତମ
ଗ୍ରୀଷମେ ମୁକୁଳା ବାଆ
ଫଗୁଣ ହସନ୍ତ ମଧୁ କିଆରୀରେ
ପ୍ରଶାନ୍ତି ର ଶେଷ ଉହା ।
ପ୍ରୀତି ପାଖୁଡ଼ା କୁ ଏକାଠି କରିମୁଁ
ଲେଖିଲି ଏ ମୋର ଚିଠି
ପ୍ରବଣତା ସହ ପ୍ରତିଶ୍ରୁତି ଗୁନ୍ଥି
ଅଭିମାନ ଦେଲି ଫେଣ୍ଟି ।
ସପନ ସହରେ ତମେ ହିଁ ବଣିକ
ପସରା ଦେଇଛି ମେଲି
ଅନୁରାଗ ଟିକେ ବାଛିବାଛି ନେଇ
ପଛକୁ ଚାହିଁବ ବୁଲି ।
ସଜ ଗୋଲାପଟେ ମୁକୁଳା ହସରେ
ଆଞ୍ଜୁଳା ତା ପାତି ଥିବ
ଇସାରା ତୁମର ହୃଦୟ ରେ ଧରି
ଲାଜରେ ସମ୍ମତି ଦେବ ।
ମଧୁଶାଳା ଓଠେ ପିଆଲା ର ଝଡ଼
ଲହରା ହସ ରେ ଶୀତ
ଜୀବନ୍ତ କବିତା ଲେଖୁଥାଉ ରାତି
ସାଥିରେ ପରାଣ ମିତ।
ଗୋପନ ହସ ର ରହସ୍ୟ ପାଲଟ
ମୁଖରିତ ମଧୁ ସଂଜେ
ପ୍ରତିକ୍ଷିତ ପ୍ରୀତି ପଦ୍ମ ପତ୍ରେ ଧରି
ଖୁସି ବାଣ୍ଟୁ ଥାଉ ଖଞ୍ଜେ ।
ଅଭିଳାଷ ତୁମେ ଅଭିମାନ ତୁମେ
ଦେଇଥିବା ପ୍ରତିଶ୍ରୁତି
ନିଦରେ ଝୁରୁଛି ଅଦିନେ ସିଝୁଛି
ଏ କି ସମ୍ପର୍କର ଇତି ।