ପ୍ରତାରଣା
ପ୍ରତାରଣା
ମାଗି ତ ନ ଥିଲି
ଆଞ୍ଜୁଳାଏ ପ୍ରୀତି
ପଣତେ ମୋ ଦିଅ ଭରି
ପ୍ରୀତି ମନ୍ଦାକିନୀ
ହୃଦୟ ବକ୍ଷରେ
ଝର ଝର ଯାଉ ଝରି ।
ଆଙ୍କି ତ ନ ଥିଲି
ମାନସ ପଟରେ
ତୁମ ଯାଦୁଗରୀ ରୂପ
ରାତି ଉଜାଗରେ
ଜାଳି ତ ନଥିଲି
ତୁମ ନାମେ ଶୁଭ ଦୀପ ।
ଲେଖି ତ ନ ଥିଲି
ତୁମ ପାଇଁ କେବେ
ପ୍ରଣୟର ମଧୁ ଗୀତି
ଇଚ୍ଛା ତ କରିନି
ପ୍ରକାଶି ଦେବାକୁ
ଯନ୍ତ୍ରଣାର ଅଭିବ୍ୟକ୍ତି ।
କରିନି କଳ୍ପନା
ଲୁହତକ ମୋର
ଭରିନେବ ଆଞ୍ଜୁଳିରେ
ଭରିବାକୁ ଖୁସି
ଅସରନ୍ତି ପ୍ରୀତି
ହୃଦୟର ପାରାବାରେ ।
ଭାବି ତ ନ ଥିଲି
ହୃଦୟ ଜଳିବ
ସଳିତା ପରାଏ ଆଜି
ଯନ୍ତ୍ରଣା ଜୁଇରେ
ଜଳୁଛି ଜୀବନ
ଠିକଣା ଯାଇଛି ହଜି ।
ବାରଣ ନ ମାନି
ସୀମାରେଖା ଡେଇଁ
ପ୍ରୀତିପୁଷ୍ପ ଦେଲ ବିଞ୍ଚି
ଆପଣାର ବୋଲି
ହୃଦୟ ସିଲଟେ
ରକତେ ମୋ ଦେଲ ଲେଖି ।
ମୁଁ ବି ଭାବିନେଲି
ସ୍ୱାର୍ଥୀ ଦୁନିଆରେ
ତୁମେ ବେଶୀ ଆପଣାର
ଯନ୍ତ୍ରଣାର ଭାଷା
ପଢିନେବ କାଳେ
ନୀରବରେ ହୃଦୟର ।
ସ୍ୱାର୍ଥୀ ମତଲବୀ
ପ୍ରତାରକ ବୋଲି
ମାନପତ୍ର ପାଇଗଲି
ନିଜ ଶବ ଆଜି
ନିଜ କାନ୍ଧେ ବୋହି
ଠିକଣା ଯାଇଛି ଭୁଲି ।

