ସପନରଶେଷ
ସପନରଶେଷ
ସପନ ଏକ ଲମ୍ବା କାହାଣୀ
କଳ୍ପନାରେ ମୁହଁ ଯୋଡି
ଖାଲଢିପରୁ ଉଠିପଡି ଦୌଡି ଦୌଡି
ଖୁବ୍ ଅସ୍ତବ୍ୟସ୍ତ ଜୀବନ୍ତ ଭଳି ଲାଗୁଥିବା
ଅନୁଭୂତି ଟିଏ ।
ନିଜ ସ୍ବପ୍ନକୁ ଚିହ୍ନି ମନେରଖିବାକୁ
ଅନେକ ପ୍ରଚେଷ୍ଟା, ଅପୂର୍ଣ୍ଣ ଇଛାସବୁ
ହଜିବାର ଅବସୋସ ଭିତରେ
ନିଷ୍ଠୁର ଦୁଃଖ ସବୁ ସାଉଁଟି ହୋଇଯାଏ ।
ଢେର୍ ଆଗରୁ ସ୍ବପ୍ନ ଟିଏ
ଭବିଷ୍ୟତ ଆଶାର ଆକର୍ଷଣରେ ଝୁଲୁଥାଏ ,
ସ୍ମୃତି ପୁଣି ହଜିଯିବା ଆଶଙ୍କା ଭିତରେ
କ୍ରମେ ଆସେ ଶିଥିଳତା
ସ୍ବପ୍ନଟି ଅସ୍ପଷ୍ଟ ଲାଗେ।
ଟିକିନିଖି ହିସାବ କଷିଲେ
କୋହ ଆଉ ଲୁହ ମଝିରେ
ସ୍ବପ୍ନ ତା'ର ସତ୍ତା ହରାଇ
ବାହୁଡିବା ପୁରା ନିଶ୍ଚିତ ହେଇଯାଏ ।
ସପନର ଶେଷ
ଖଣ୍ଡ ବିଖଣ୍ଡିତହୁଏ ଦୃଶ୍ୟ ସବୁ
କିଛି ମହକ ବିତରେ
ହୃଦୟକୁ କ୍ଷତାକ୍ତ କରେ ,
ଆଖି ମଳିମଳି ନିଦରୁ ଉଠେ
ଖାଲି କିଛି ସ୍ମୃତିର ଝଲକ ରହିଯାଏ ।
ଭୂଲିବାକୁ ଚେଷ୍ଟା କଲେବି
ମନରେ ରହିଯାଏ ,କିଛି ସ୍ବପ୍ନ
କିଛି ସ୍ବପ୍ନ ସତ ହୋଇଯାଏ।
ପାହାନ୍ତା ପହର ନୀରବତା
ଚୁପ୍ ଚାପ୍ ଓହଳିପଡେ
ପୁରା ଦେହ ମନକୁ
ଶୂନ୍ ଶାନ୍ କରିଦିଏ ।
ଏଇତ ଜୀବନ
ଅବୁଝା ମନ ଓ ଅବୁଝା ଅତୀତକୁ ଧରି
ସ୍ବପ୍ନ ଜାଲରେ ଗୁଡେଇହେବା,
ଏମିତି ଆହୁରି ଅନେକ...
ସ୍ବପ୍ନ କଣ ଶେଷହେବ ?
ନିଦ ଥିବ ,ସ୍ବପ୍ନ ଥିବ ,
ନିଜେ ଶେଷ ହେବା ନିଦରେ ଯେବେ
ସପନର ଶେଷ ସେଇଠି ହେବ।।
