ମହକ
ମହକ
ମହକ ଶବ୍ଦରେ କି ଯାଦୁ ଅଛି ଯେ
ଶୁଣିଲେ ପୁଲକ ଜାଗେ
ଫୁଲର ମହକେ ଚତୁର୍ଦ୍ଦିଗ ଭରେ
ବ୍ୟକ୍ତି ମହକେ ଗୁଣରେ ।
ଫୁଲ ପରିଚିତି ମହକ ବତାଏ
ବ୍ୟକ୍ତିତ୍ଵ ମହକେ ଗୁଣେ
ସ୍ଵଳ୍ପାୟୁ ହେଲେ ବି ଗୁଣର ମହକେ
ଜୀଇଁ ରହେ ଚିରଦିନେ ।
ଫୁଲ ମହକରେ ଚତୁର୍ଦ୍ଦିଗ ଭରେ
ଜଗତେ ପୁଲକ ବାଣ୍ଚେ
ସ୍ଵଳ୍ପାୟୂ ଶେଫାଳୀ ମନ ହରିନିଏ
ଖୁସୀରେ ବି ଦିନ କାଟେ ।
ଏ ଜଗତ ଅଟେ ଫୁଲ ବଗିଚା ଟେ
ଆମେ ସବୁ ତାର ଫୁଲ
ଏ ଫୁଲେ ମହକ ଭରିବା ଦାୟୀତ୍ଵ
ଅଟେ ଯେ ନିଜ ନିଜର ।
ଫୁଲ ମହକ ରେ ମନ ପ୍ରଫୁଲ୍ଲିତ
ବ୍ୟକ୍ତିତ୍ଵ ମହକେ ଧରା
ବ୍ୟକ୍ତିତ୍ଵର ମୂଳ ଆଧାର ଯେ ପ୍ରେମ
ପ୍ରୀତି ଫୁଲେ ପାଏ ଶୋଭା ।
ସେବା, ତ୍ୟାଗ , ଆଉ ପରୋପକାରକୁ
ହୃଦ ଚନ୍ଦନ କରିବା
ଶରୀର ନଗଣ୍ୟ ଚିତ୍ତ ସମର୍ପଣେ
ମହକ ବିତରି ଯିବା ।
ଚିତ୍ତ ଚେତନାକୁ ସାମ୍ୟ ଚେତନାରେ
ଉଦ୍ବୁଦ୍ଧ ଯଦି କରିବା
ଗୀତା ସାରବତ୍ତା ଜୀବନେ ଲଗାଇ
ଯଦି ଜୀବନ ଜୀଇଁବା ।
ସର୍ବଜୀବେ ଦୟା ପିତା ମାତା ପ୍ରେମ
ଯଦି ହୃଦରେ ବହିବା
ଚିତ୍ତ ମହକିବ ଆତ୍ମସନ୍ତୋଷରେ
ମହକ ବିତରି ଯିବା ।
ସ୍ନେହ ମମତାର ପରଶ ପରଶି
ଯଦି ମୋହ ତ୍ୟାଗ ଦେବା
ଆଶା ବିହୀନ ଯେ କର୍ତ୍ତବ୍ୟ କରିବା
ଚିତ୍ତ ଆନନ୍ଦେ ଭରିବା ।
ବ୍ୟକ୍ତିତ୍ଵ ଚଟାଣ ହେବ ମଜ୍ଭୂତ
ନିଜେ ଯେ ଜାଣି ନଥିବା
ସେ ମହକେ ଧରା ହେବ ଆମୋଦିତ
ଜନ୍ମ ସାର୍ଥକ କରିବା ।
ମହକ ବାଧିତ ଅହଂକାର କୁ ଯେ
ମନୁ କାଢି ଫିଙ୍ଗିଦେବା
ସକରାତ୍ମକ ର ବୀଜ ବୁଣି ହୃଦେ
ଉଦାହରଣ ସାଜିବା ।
ନିଃସ୍ଵାର୍ଥ ପ୍ରେମର ରଙ୍ଗେ ରଙ୍ଗ ରଙ୍ଗାଇବା
ଜୀବନ ପ୍ରତି ପାଖୁଡା
ବିଶ୍ୱାସ ବୋଧର ସାରବତ୍ତା ଦେଇ
ସଜାଇବା ଫୁଲ ନାଡା ।
ମାନବତା ବାଦ ଫୁଲ ଫୁଟି ଯିବ
ମହକେ ଭରିବ ସୃଷ୍ଟି
ଶ୍ରେଷ୍ଠ ସୃଷ୍ଟି ଭାବେ ନିଜକୁ ଥାପିବୁ
ସ୍ରଷ୍ଟା ଯେ ଲଭିବେ ତୁଷ୍ଟ ।
