ପ୍ରଶ୍ନ ଓ ପ୍ରେମ
ପ୍ରଶ୍ନ ଓ ପ୍ରେମ
ପ୍ରେମ ଚିରନ୍ତନୀ କୁଳୁ କୁଳୁ ନାଦେ
ନିର୍ଝରି ଚାଲଇ ବହି
ମନରେ ତାହାର ପ୍ରଶ୍ନ ଅସୁମାରୀ
ଥକେ ନାହିଁ ବାଧା ପାଇ ।
ନିର୍ଝରିଣୀ ପରି ପ୍ରେମରେ ସ୍ବପନ
ପ୍ରଶ୍ନ ସବୁ ଛଳଛଳ
ମମତା ସ୍ନେହରେ ସବୁଜ ସୁନ୍ଦର
ହସି ଉଠେ ଦୁଇ କୂଳ ।
ପ୍ରଶାନ୍ତ ସୁନ୍ଦର ନୀଳ ସମ୍ମୋହନ
ମଧୁମୟ ପ୍ରୀତିପ୍ରେମ
ପ୍ରାଣ ସୁକୋମଳ ହୃଦୟ ସ୍ପନ୍ଦନେ
ଉଚ୍ଚାଟଇ ଆକର୍ଷଣ ।
ବାଜେ ରୁଣଝୁଣ ଶବଦ ନିକ୍ବଣ
ନିବିଡେ ଭାବ ସମ୍ବନ୍ଧ
ପ୍ରେମ ତଟିନୀର ପ୍ରଶ୍ନିଳ ଜଳରେ
ପବିତ୍ର ତୀର୍ଥ ସାନ୍ନିଧ୍ୟ ।
ଉକୁଟେ ଜୀବନ ଛାୟା ପ୍ରତିବିମ୍ବ
ନୀଳ ସ୍ବଚ୍ଛ ଦର୍ପଣରେ
ଆବେଗ ସ୍ବଚ୍ଛନ୍ଦେ ସବୁ ପ୍ରଶ୍ନୋତ୍ତର
ସମାହିତ ଏକାକାରେ ।

