STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ମନ ମରିମରି ଯାଏ

ମନ ମରିମରି ଯାଏ

1 min
385

   

      ହେ ଦେବୀ ଭବାନୀ     କେଉଁ ସୈନ୍ୟ ଘେନି

                 ମହିଷାସୁର କୁ ଦଳି,

       ଉଧାରିବା ପାଇଁ    ଆସ ମହାମାୟୀ

               ମେଦିନୀ ଯାଉଛି ଜଳି!  

ଶାରଦୀୟ ଶୋଭା ରତ୍ନ ଗିରି ବିଭା ମଣିଷ ରାକ୍ଷସ ଦଳ,

ସ୍ଵାର୍ଥରେ ଅନ୍ଧସେ ଭାଙ୍ଗିସେ ଉଲ୍ଲାସେ ରୋଧିଛି ପଥକୁ ତୋର;

   ସ୍ଵାର୍ଥାନ୍ଧ ସହସ୍ର    ରାକ୍ଷସ ଏକତ୍ର

      ନାହିଁ ଆଉ ଆଗ ଭଳି ।।

    

    ମଣିଷ ସତରେ    କେତେ ସ୍ଵାର୍ଥପର

           ନିଜ ସ୍ଵାର୍ଥ ପାଇଁ ବଳି,

    ଦେଇପାରେ ନିଜ    ଆତ୍ମୀୟ ସ୍ଵଜନ

             ସୁବର୍ଣ୍ଣ ପାଦପ ଦଳି;

ପ୍ରକୃତି କାମିନୀ ଗଢିଲା ମେଦିନୀ ଦୁନିଆଁର ହୀତ ଅର୍ଥେ,

ତାକୁ ଖିନ୍ ଭିନ୍ କରିଲୁ ମେଦିନୀ  ଅଚିରେ ନିଜର ହସ୍ତେ;

    ସାମାଜିକ ଚିତ୍ର       ଏତେ ଦୟନୀୟ

             ସାଗର ଉଠେ ଉଛୁଳି ।।


  ଅକାଳ କରାଳ    ଜିହ୍ଵା ଲହଲହ

    କରି ମାଡି ଆସେ କାଳ, 

  ଧୂମାଳ କୁହୁଡି   ତପ୍ତ ବାଲି ଉଡି

     ରାକ୍ଷସ ଚୁର୍ଣ୍ଣ କୁନ୍ତଳ;

ସମ ଦିଶୁଅଛି ମେରୁ ଗିରି ଦେଶୁ ତରଳଇ ହିମ ଖଣ୍ଡ,

ପ୍ରଖର ଉଷ୍ମ ପ୍ରବାହେ ଧରିତ୍ରୀ ହୋଇଯାଏ ଖଣ୍ଡଖଣ୍ଡ;

  ମଣିଷ ର ସ୍ଵାର୍ଥ    କେତେ ବିକଟାଳ

     ଦେଉଅଛି ସବୁ ଜାଳି ।।


  ମେଘ ଚାରା ଭୁଇଁ    ସୁନୀଳ ବନାନୀ

       ସୁଉଚ୍ଚ ପର୍ବତ ମାଳା,

  ଭାଙ୍ଗି ଯହିଁ ତହିଁ     ମଣିଷ ତୋଳଇ

       ସ୍ଵାର୍ଥର ପାଠଶାଳା;

ସ୍ଵାପଦ ସକଳ ହେଲେଣି ବିକଳ ନାହିଁ ବାସ ନାହିଁ ଖାଦ୍ୟ,

ଜନପଦେ ସେତ କରନ୍ତି ଉତ୍ପାତ କରି ବିକଟାଳ ଶଦ୍ଦ;

   ସରିଯାଉଅଛି    ଆୟୂ ଏ ଗ୍ରହର

      ମନ ମରିଯାଏ ଭାଳି ।।


  ଆସିବୁ ତୁ ଅବା     ବିବର୍ଣ୍ଣିଳ ଶୋଭା

     ଦେଖି ହେବୁନି ନୀରାଶ,

  କ୍ଷଣେକ୍ଷଣେ କ୍ଷୋଣୀ    ରସାତଳ ଗାମୀ

      ରସା ରସହୀନ ନିରସ;

ଆସିବା ପାଇଁକି ତୋପଥ ଚାହିଁକି ବସିଛି ମଣିଷ ସମାଜ,

ଆସିବୁ ଶରତେ ଦେବୀ ଦିବ୍ୟ ରଥେ ମାରିଦେ କାଳ ରାକ୍ଷସ;

   ହସୁ ମା କାଶ୍ୟପୀ  ହୁଅଥରେ ସାଥି

     ନଦିଅ ମା ତାରେ ବଳି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy