ସହରରେ ଶ୍ରାବଣ
ସହରରେ ଶ୍ରାବଣ
ଦୁଃସହ ବେଦନା ଯନ୍ତ୍ରଣା ଜର୍ଜର
ଶ୍ରାବଣ ଅଣନିଶ୍ବାସୀ
ଫୁଲାଇ ମୁହଁକୁ ସହରେ ଶ୍ରାବଣ
ପିଟୁଅଛି ମଥା ବସି ।
ତୋଳିଛି ସାମ୍ରାଜ୍ଯ ପୁଞ୍ଜି ଧନାସୁର
ଅନ୍ଧ କାରାଗୃହ ରାଜା
ନିବୁଜ ତାହାର ଦ୍ବାର ବାତାୟନ
ଭୋଗ ତୂଳିତଳ୍ପ ଶଯ୍ଯା ।
ଲୌହ କଂକ୍ରିଟର ବାଧା ପ୍ରତିବନ୍ଧ
ସହି ପୂତିଗନ୍ଧ ଜ୍ଜ୍ବାଳା
ମୁକତିର ପଥ ପାଉନି ଶ୍ରାବଣ
ମୁଣ୍ଡ ତା ହୁଏ ବାଉଳା ।
ବାଟବଣା ହୋଇ ଶ୍ରାବଣ ଆଖିରୁ
ଛୁଟେ ଲୋତକର ବନ୍ଯା
କଠୋର ସହର ହୃଦୟ ନର୍ଦ୍ଦମା
ଶ୍ରାବଣ ମନ ବୁଝେନା ।
ଯଥେଷ୍ଟ ହୋଇଲା ଆସୁରୀ ପ୍ରବୃତ୍ତି
ସୀମା ତ ଗଲାଣି ଟପି
ଅନୁଶୋଚନାରେ ନିନ୍ଦୁଛି ଭାଗ୍ୟକୁ
ନର୍କେ ବର୍ଷା ପାଦ ଥାପି ।
