ମୋହ ଭରା ବର୍ଷା ରାତି
ମୋହ ଭରା ବର୍ଷା ରାତି
ବନ ଉପବନେ ନୂଆ ମେଘ ଦେଖି
ନାଚଇ ପକ୍ଷୀ ମୟୂର
ଉଜ୍ଜ୍ବଳେ ଚନ୍ଦ୍ରିକା ସପତ ରଙ୍ଗରେ
ଉଲ୍ଲସେ ହୁଏ ବିଭୋର ।
ବର୍ଷା ଭିଜା ରାତି ଭରିଦିଏ ମନେ
ପ୍ରୀତି ଅନୁରାଗ ମୋହ
ରଜନୀ ସଜନୀ ସଙ୍ଗ ଲଭିବାକୁ
ଆକୁଳେ ପ୍ରାଣ ହୃଦୟ ।
ବରଷାର ରାତି ମୁଦି ଦିଏ ଆଖି
ପବନ ନାତିଶୀତୋଷ୍ଣ
ମଧୁର ଆଳାପେ ବିତିଯାଏ ରାତି
ବତୁରେ ସବୁଜ ସ୍ବପ୍ନ ।
ଲାଗେ ସୁଶୀତଳ ପ୍ରଭାତି ସମୀର
ଜୀବନ କର୍ମ ଚଞ୍ଚଳ
ମେଲି ସୂକ୍ଷ୍ମ ପକ୍ଷ ନବ ଭାବକଳ୍ପ
ରଚେ ନୀଡ ନୀଳାକ୍ଷର ।
ମୋହେ ମଧୁକର ବିହରେ ସୁମନେ
କରଇ ମଧୁ ସଞ୍ଚୟ
ଅଙ୍କୁରେ ସୁନ୍ଦର ସତ୍ଯ ସବୁଜିମା
ଜୀବନ ଅମୃତମୟ ।

