ପ୍ରେମ.
ପ୍ରେମ.
ଦୁଇଟି ମନର ମିଳନ ଘଟିଲେ
ଆରମ୍ଭ ହୁଅଇ ପ୍ରେମ
ପବିତ୍ର, ଶାଶ୍ୱତ, ଅମର ଏ ପ୍ରେମ
ସୀମା ତା ଅଟେ ଅସୀମ l
ପ୍ରେମ ମାନେନାହିଁ ଜାତି କି ଅଜାତି
ଧନୀ ଓ ଗରିବ ଭେଦ
ହୃଦୟର ପ୍ରେମ ରହେ ଚିରନ୍ତନ
ନ ଥାଏ ଅସୂୟା ଭାବ l
ଅଛିଣ୍ଡା ଗଣିତ ଅଟଇ ଏ ପ୍ରେମ
ତାର ନାହିଁ କେବେ ଶେଷ
ଅପୂର୍ବ ସଂଯୋଗ ଦେଇଥାନ୍ତି ଧାତା
ରହେ ନାହିଁ ଅବଶୋଷ l
ପ୍ରେମ ପ୍ରଣୟରେ ସନ୍ଦେହ ର ନିଆଁ
ଲାଗିଯାଏ ଯେବେ ଥରେ
ଲିଭାଇବା ପାଇଁ ସୁଶୀତଳ ଜଳ
ନାହିଁ ଏଇ ପୃଥିବୀରେ l
ଦିନୁ, ଦିନ ମନ ତଳର ନିଆଁ ରେ
ପ୍ରେମ ପକ୍ଷୀ ପୋଡ଼ିଯାଏ
ଜୀବନ ଟା ସାରା ଦୁଃଖ ଅଶାନ୍ତିରେ
ତାହାର ଯେ କଟିଥାଏ l
ଦୁଇ ମନ ଏକ ହୋଇ ଚଳିଗଲେ
ଘର ଟି ପାଲଟେ ସ୍ୱର୍ଗ
ହସ ଖୁସି, ମଜା ରେ ସମୟ ଯାଏ
ମନରେ ନ ଥାଏ ଗର୍ବ l
ଦୈହିକ କାମନା ଆଶାରେ ଯେ ଲୋକ
କରୁଥାନ୍ତି ଯେବେ ପ୍ରେମ
ଅଢେଇ ଦିନିଆଁ ରହଇ ସେ ପ୍ରେମ
ହୁଅନ୍ତି ସେ ବଦନାମ l
ପିତା, ମାତା ଙ୍କର ଅନାବିଳ ସ୍ନେହ
ପ୍ରେମର ନ ଥାଏ ଅନ୍ତ
ପାଇବାର ଆଶା ନ ଥାଏ ସେଥିରେ
ସେ ପ୍ରେମ ଅଟେ ଶାଶ୍ୱତ l
ଭକ୍ତ ଭଗବାନ ଙ୍କର ପ୍ରେମ ଅଟେ
ଚୀର ନିର୍ବିକାର ପ୍ରେମ
ଆନନ୍ଦରେ ନେତ୍ରୁ ଝରିପଡ଼େ ଅଶ୍ରୁ
ପ୍ରେମରେ ହୋଇଲେ ମଗ୍ନ l
ଶାଶ୍ୱତ ଅମର ପ୍ରେମ ସବୁଦିନ
ସତ୍ୟ, ଧର୍ମ ନ୍ୟାୟ ପଥ
ସେହି ପଥରେ ଯେ ହୁଅଇ ପଥିକ
ଜନ୍ମ ହୁଅଇ ସାର୍ଥକ l