STORYMIRROR

Sasmita Dash

Fantasy Others

4  

Sasmita Dash

Fantasy Others

ବର୍ଷା

ବର୍ଷା

1 min
399


ବର୍ଷା ଗୋ ତୁମେ ଆସିଛ ଧରାକୁ

     ଅନେକ ପ୍ରତୀକ୍ଷା ପରେ,

ତୁମ ସ୍ପର୍ଶ ରେ ବିପୁଳ ପୁଲକ

     ମନେ ହର୍ଷ ଭାବ ଭରେ ।।

ତୃଷାର୍ତ୍ତ ଅବନୀ ନବ ସାଜ ଘେନି

     ଆନନ୍ଦେ ହୁଏ ଅଧୀରା,

ତରୁଲତା ଗଣ କରି ସୁଧା ପାନ

     ହୋଇଥାନ୍ତି ଆତ୍ମହରା ।।

ଝରଣା, ତଟିନୀ କୁଳୁ କୁଳୁ ସ୍ଵରେ

     ଗାଆନ୍ତି ପ୍ରେମ ର ଗୀତି,

ସର୍ବ ବାଧା ବିଘ୍ନ ଡ଼େଇଁ ଧାଇଁଥାନ୍ତି

     ସାଗର ସଙ୍ଗମେ ମତି ।।

ଟିପି ଟିପି ବାରିଧାର ବିଞ୍ଚିଦିଏ

     ବିରହୀ ହୃଦୟେ ନିଆଁ,

ପ୍ରିୟ ର ପ୍ରଣୟ ପ୍ରିୟତମା ଖୋଜେ

     ପାଇ ତୁମ ହିମ ଛୁଆଁ ।।

ଭେକ ଭେକି କେଳି ପକ୍ଷୀଙ୍କ କାକଳୀ

     କୋକିଳ ର କୁହୁତାନେ,

ନାଚଇ ମୟୂର ଭିଜେ କୃଷ୍ଣଚୂଡ଼ା

     ମାଦକତା ଭରା ମନେ ।।

ଶଇଳପୁଞ୍ଜ ର ଶ୍ୟାମଳୀମା ଶୋଭା

     ହରିନିଏ ମନ ପ୍ରାଣ,

ତୁମ ଆଗମନେ ସବୁଜିମା ଭରା

     ଧରିତ୍ରୀ ବନାନୀ ପୂର୍ଣ୍ଣ ।।

ପୁଷ୍ପ ସବୁ ଖେଳେ ମୁକୁଳା ବେଣୀରେ

     ପ୍ରୀତି ର କଜ୍ଜଳ ନାଇ,

କୃଷକ ର ଓଠେ ହସ ଫୁଟି ଉଠେ

     କେତେ ଆଶା ସଂଚରଇ ।।

ନିଦାଘ ଝାଞ୍ଜି ରେ ତନୁ ଦହଗଞ୍ଜ

     ଶୀତଳତା ମନ ଖୋଜେ,

ବର୍ଷା ଗୋ ତୁମ ଅମୀୟ ଧାରା ରେ

      କୋଟି ତନୁ ମନ ଭିଜେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy