ଶ୍ରାବଣ ଆସିଲା
ଶ୍ରାବଣ ଆସିଲା
ଝରିପଡ଼େ ଯେବେ ଶ୍ରାବଣ ର ବାରି
ଧରଣୀ ର ବୁକୁପରେ,
ସବୁଜ ବସନେ ଧରଣୀ ରାଣୀ ଟି
ମନକୁ ମୋହିତ କରେ ।
ନବ ପଲ୍ଲଵ ରେ ତରୁଲତା ଗଣ
ହୋଇଉଠନ୍ତି ସତେଜ,
ସତେ ଗୋ ଶ୍ରାବଣ, ତୁମ ଆଗମନେ
ପ୍ରକୃତି ର ସଜବାଜ ।
ପ୍ରକୃତି ର ମିତ୍ର ସାଜି ତୁମେ ବନ୍ଧୁ
ଓହ୍ଲାଇଛ ଧରଣୀ କୁ,
ପାଛୋଟି ଆଣିଚ କେତେ ନୂଆ ଆଶା
ବାଲ୍ୟ କାଳର ସ୍ମୃତି କୁ ।
ଭିଜା ବରଷା ରେ କାଗଜ ଡ଼ଙ୍ଗାକୁ
ଭସାଇ ପାଣି ସୁଅରେ,
ଉପଭୋଗ କରୁଥିଲି ସେ ଦୃଶ୍ୟକୁ
ଅଫୁରନ୍ତ ଆନନ୍ଦରେ ।
ନାଲି ଟୁକୁ ଟୁକୁ ସାଧବ ବୋହୂକୁ
ଧରି ହାତ ପାପୁଲି ରେ,
ଅପୂର୍ଵ ତା ରଙ୍ଗ ରୂପ ର ଶିରି କୁ
କେତେ ନିରୀକ୍ଷଣ କରେ ।
ଲୁଚି ଲୁଚି ବର୍ଷା ଜଳ ର ବୁନ୍ଦା ରେ
କେତେ ଯେ ମୁଁ ନ ଭିଜିଚି
ମା'ଙ୍କ ହାତରେ କାନମୋଡା କେତେ
ତୁମ ପାଇଁ ନ ସହିଚି ।
ବର୍ଷା ର ପରଶେ ପରାଣେ ଉଛୁଳି
ଉଠେ ଭାବର ତରଙ୍ଗ,
କେକା କେକୀ ଙ୍କର ମନରେ ଆନନ୍ଦ
ଭେକ ସଙ୍ଗେ ଭେକି ସଙ୍ଗ ।
ନାନା ଜାତି ପୁଷ୍ପେ ପୂର୍ଣ୍ଣ ଉପବନ
ପ୍ରଜାପତି ଟି ଉଛନ,
ସୁଗନ୍ଧେ ବିଭୋର ଉନ୍ମାଦେ ଅଧୀର
ମଧୁପ ମଧୁ ଗୁଞ୍ଜନ ।
ପୂର୍ଣ୍ଣଗର୍ଭା ପୁଷ୍କରିଣୀ ଓ ତଟିନୀ
ଧରା ଦିଶେ ଜଳ ମୟ,
କେତେ କା'ର ଆଶା ପୂର୍ଣ୍ଣ ହୋଇଯାଏ
କିଏ ହୁଏ ଅସହାୟ ।
ତୃଷାର୍ତ୍ତ ଚାତକ ର ତୃଷ୍ଣା ମେଣ୍ଟି ଯାଏ
ଝୀଂଟିକା କରଇ ନୃତ୍ୟ,
କ୍ଷେତ ରେ ଫଳିବ ସବୁଜ ସୁବର୍ଣ୍ଣ
ଚଷାପୁଅ ମନ ପ୍ରୀତ ।
ବରଷା ଭିଜାଏ ବିରହୀ ପ୍ରାଣକୁ
ବାହୁନି ଭାବନା ଝୁରେ,
ଅପୂର୍ଣ୍ଣ ଅଭିପ୍ସା ଗୁମୁରି କାନ୍ଦଇ
ଭିଜି ଅଭୁଲା ସ୍ମୃତିରେ ।
ଭରି ଦେଇଯାଅ ପ୍ରୀତିର ପାର୍ବଣ
ପ୍ରତିଟି ପ୍ରାଣ ର ପ୍ରାଣେ,
ସପ୍ତ ରଙ୍ଗ ପ୍ରୀତି ପୁଷ୍ପ ଭରିଯାଉ
ହୃଦୟ ର ଉପବନେ ।
ହେ ଶ୍ରାବଣ, ତୁମ ଆଗମନେ ଧରା
ଶିବମୟ ହୁଏ ସତେ,
କାଉଡିଆ ଭାଇ ଜଳ ଭାର ନେଇ
ଢାଳନ୍ତି ଶିବଙ୍କ ମସ୍ତକେ ।
ନେଇଯାଏ ମେଘ ପ୍ରୀତି ର ସନ୍ଦେଶ
ପରଦେଶୀ ପ୍ରିୟ ପାଶେ,
ପ୍ରବାସ ରେ ରହି ପ୍ରିୟା ର ସ୍ମୃତି କୁ
ଭାଳଇ ମନେ ଉଦାସେ ।
ସ୍ୱାଗତ ଜଣାଏ ଆସ ଗୋ ଶ୍ରାବଣ
ତୁମ ବିନା ସୃଷ୍ଟି ନାଶ,
ଅସରା ଅସରା ବର୍ଷା ର ଧାରା ରେ
ହରିନିଅ ସବୁ କ୍ଳେଶ ।
ଟିପିଟିପି ତୁମ ମଧୁର ଶବଦେ
ନିଦ ଯାଏ ମୋର ହଜି,
ମଧୁଝରା ନୀରେ ନିରୋଳା ରାତ୍ରିରେ
ଯାଆନ୍ତି କି ଟିକେ ଭିଜି ।