ମନ ମାନିଗଲେ ଆଖି ଅବୁଝା
ମନ ମାନିଗଲେ ଆଖି ଅବୁଝା
ମନତଳେ ଝରକା ଖୋଲି
କିଏ ଆସୁଛି ବୋଲି
ପ୍ରଜାପତି ଆସୁଛି ଖାଲି
ସେଇ ପିଲାଦିନରୁ ଆଜିଯାଏଁ
ହେଉନି ତାକୁ ଭୁଲି
ତାର ସେ ଚିତ୍ରିତ ଡେଣା ପରି
ଋତୁ ନଈ ପାହାଡ଼ ପର୍ବତ ବାଲିଘର
ଫୁଲ ପକ୍ଷୀ ସାପ ବେଙ୍ଗ ଜଉଘର
ଗୁଡ଼ି ଛତା ଆକାଶ ଓ ତାରା
ଖରା ପରି ତୋରା
ଶୀତ ପରି ନଦିଏ ଧରା
ଆଉ ବର୍ଷା ତ ଜାଣି ଅପାଶୋରା
ଏତେ ସବୁ ବିଭାବରୀ ଧରି
ପ୍ରଜାପତି ଉଡ଼ୁଥାଏ ଛାତି ତଳେ
ଛପି ଛପି ସ୍ମରି ଚକାଡୋଳେ
ଆଖି ପଖାଳିଲେ ପ୍ରଜାପତି
ଆଖି ମୁଦିଲେ ସେ ଆସେ ନିତି
ତା ପରି ଏମିତି କିଏ ହେବ କେମିତି
ଉଡ଼ିପାରୁଥିବା ସାଧବବୋହୁ ପରି ଚପଳମତି
ନହେଉ ତା ରୂପର ଇତି
ନଦେଉ ପଛେ ପ୍ରତିଶ୍ରୁତି
ତୁ ଥା ମୁଁ ଯାଉଛି ନକହୁ ଯେମିତି
ବରଂ ତା ଦୁଇ ଆଖିରେ ମନତଳ ଭାବନା ଜୀବନ୍ତ ନିତି
ଆଜି କାଲି ଆସନ୍ତାକାଲିର ଅସରନ୍ତି ଗୀତି
ସେଇ ପ୍ରଜାପତି
ତା ଡେଣାରେ ଏବେ ଜଗନ୍ନାଥେ ବସନ୍ତି
ହୁଏତ ଦାସିଆ ହାତରୁ ନଡ଼ିଆ ନେବା ଭକ୍ତି
ସାଲବେଗଙ୍କ ପାଇଁ ରଥ ଅଟକିବା ଘଟଣା କିମ୍ବଦନ୍ତୀ
ପ୍ରଜାପତି ଆଣିଛି ପୁନରାବୃତ୍ତି
ନହେଉ ଇତି ତା ସଂସ୍କୃତି
ରୁଚି ଋତୁ ଋଣ ରଣ ସବୁରେ ପ୍ରଜାପତିର ସମ୍ପୃକ୍ତି
