STORYMIRROR

Upendra prasad Mahala

Classics Inspirational Thriller

4  

Upendra prasad Mahala

Classics Inspirational Thriller

ଯୁଗାନ୍ତର ରୂପକଳ୍ପ

ଯୁଗାନ୍ତର ରୂପକଳ୍ପ

2 mins
325

" ସନ୍ଧିକ୍ଷଣ " ମୁହୂର୍ତ୍ତ ଭଳି ସମୟ
ଝଡ ପୂର୍ବବର୍ତ୍ତୀ ଗମ୍ଭୀରତା !!
ମନରେ ଭାବାନ୍ତର ତୋଳେ
ପରିବର୍ତ୍ତନର ସମ୍ଭାବନା ନେଇ
ଆସୁଛିକି ଯୁଗାନ୍ତର ବେଳ ?

ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଗଣନାରେ
ଜ୍ୟୋତିଷ ବିଶାରଦ ନିମଗ୍ନ
ବ୍ୟସ୍ତ ବୌଦ୍ଧିକ, ବିଜ୍ଞାନୀ ମଣିଷ
ଚାଲିଛି ଚିନ୍ତାଚେତନାର ଖେଳ
କିଏ ପଢୁଛି ପୋଥିରେ ମାଳିକା
କିଏ ମାପୁଛି ପୃଥିବୀର ତାତି
ଜାଣିବାକୁ ପୂର୍ବାଭାସ ସୂଚନା
ସବୁଠି ଗୁମୁରୁଛି ଅଜଣା
ଭୟର କାଳ୍ପନିକ ଝଡ଼ !!

ଫୁଟପାଥ ଗଛଛାଇରେ ବସି
ଭବିଷ୍ୟ କହୁଥିବା ଲୋକଟି
ଜାଣି ନ ଥଲା ନିଜ ଭାଗ୍ୟ ।
ନୂଆ ପାଞ୍ଜି, ଡିଲକ୍ସ ଖାତା ଧରି
କପାଳ ରେଖାରେ ସିନ୍ଦୁର ବୋଳି
ଚନ୍ଦନ ମାଖି ଆସୁନି ସହରକୁ ।
ଭାଗ୍ୟଭବିଷ୍ୟ ବେପାର ବନ୍ଦ ।
ପୋଡିଯାଉଛି ଚାଖଣ୍ଡେ ପେଟ।
ଏସବୁ ଦାରୁଣ ସମୟର ଖେଳ
ନା ଅଦୃଶ୍ୟ ନିୟତିର ?

ପଚାରେ ସଭିଙ୍କୁ ଅଜ୍ଞାତଵାସ
ଚାଲିବ ଆଉ କେତେଦିନ ?
ଵିଚରା ଭାଗ୍ୟବାଦୀ ମଣିଷ !!
ଭୁଲି ଗଲାଣି ଗୀତା, ଭାଗବତ
କର୍ମଯୋଗର ହିତୋପଦେଶ ।
ହଜିଛି ଅସ୍ମିତା, ମନକୁ ଘେରିଛି
ଦୁଶ୍ଚିନ୍ତାର ଅଵିସ୍ମୃତ ଅଂଧାର ।
ଉପରଠାଉରିଆ ପରିସଂଖ୍ୟାନ
ସମାଚାର ଶୁଣି ସ୍ତବ୍ଧ ଜୀବନ।

ନିଦରେ ଦୁଃସ୍ବପ୍ନ ଦେଖି ଚମକୁଥିବା
ମଣିଷ କଳ୍ପନାରେ ଆଙ୍କି ବସୁଛି
ଅବିଶ୍ବାସନୀୟ, ଅଦ୍ଭୂତ ଚିତ୍ର
"ଯୁଗାନ୍ତ ମହାପ୍ରଳୟର"।
ଘୋ' ଘୋ' କମ୍ପିଲାଣି ସମୁଦ୍ର,
ଥରିଲାଣି ମାଟି ଓ ଅ।କାଶ
ଯେମିତି ଦ୍ଵାପର, ତ୍ରେତୟା
ଯୁଗ ଶେଷରେ ଘଟିଥିଲା
ଜୀବନର କରୁଣ ଅବସାନ
ସୃଷ୍ଟିର ମହା ବିପର୍ଯ୍ୟୟ !!

ମଣିଷ ବି ଆଙ୍କିଛି କଳିକାଳ
ସ୍ବରୂପର ବିକଟାଳ ରୂପକଳ୍ପ
ମହାପ୍ରଳୟର ଭୟାନକ ଚିତ୍ର
ସଜାଇ ରଖିଛି "ବାରହାତ
ମନ୍ଦିରରେ ତେର ହାତ ଖଣ୍ଡା"
ମହାକାଳ ରଡିଲେ ଧାର ବୁଲିବ ।

କାହାକୁ ତର ନାହିଁ ଦେଖିବାକୁ
ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ ବେଳ ।
ଦିଗବଳୟରେ ସୂର୍ଯ୍ୟ ବୁଡିଲେ
ସଞ୍ଜ ଅ।ସେ, ଉଠିଲେ ସକାଳ ।
ଦିନ ଓ ରାତି ମଝିରେ ବଳକା
କିଛି ମୁହୂର୍ତ୍ତ ସନ୍ଧିକ୍ଷଣ ।
ଆକାଶରେ ଚହଟେ ଶାନ୍ତ,
ଉଦ୍ଦାତ୍ତ ନାଲି ଅବିର ରଂଗ ।
ପ୍ରଦୋଷ ରଚେ ମୁଗ୍ଧ ଅଭିସାର
ସୃଷ୍ଟି ସର୍ଜନାର ନିବିଡ ଅନ୍ଧାର
ଉଷା ରଚେ ଭବ୍ୟ ଅଭିଷେକ
ଉନ୍ମେଷ ନବଜୀବନର ।
ଅଳିକ ଲାଗେ କଳ୍ପନାର ଭ୍ରମ
" ଯୁଗାନ୍ତର ରୂପକଳ୍ପ " ।
*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics