ବଗୁଲିଆ ବଗୁଲା-ମଣିଷ
ବଗୁଲିଆ ବଗୁଲା-ମଣିଷ
ମନଟା ମୋ ଆଜିକାଲି ଭାରି ଚଗଲା
ହେଇ ପାରିନି ସେ ଅଚଞ୍ଚଳ ବଗୁଲା ll
ଭବତଡ଼ାଗ କୂଳେ ଧ୍ୟାନରତ ମନବଗୁଲା,
କେବେ ଆସିବ ସହଜ ଖୋରାକ ଖାଲି
ସେ ଭାବିଚାଲିଲା ll
ସଂସାର-ତଡ଼ାଗେ ପ୍ରାପତ ମୀନ ଐଶ୍ବର୍ଯ୍ୟ,
ଏଣେ ବଗୁଲା-ମଣିଷର ପରପୀଡ଼କ-ଲୋଭ-ପ୍ରାଚୁର୍ଯ୍ୟ ll
ପାରିଜାତ ଲୋଡ଼ା ନାହିଁ ତା'ର ମାନସରୋବରର,
ଆସକ୍ତି କେବଳ ବିଦ୍ୟମାନ ଭେକ-ମୀନ-ତୃଷ୍ନାର ll
ମୋହାସକ୍ତି ପାରେନି ସେ ଛାଡ଼ି ସ୍ୱାର୍ଥଲିପ୍ସୁ ବଗୁଲା-ମଣିଷ,
ନିରୀହ ମୀନ-ମଣିଷଗୁଡ଼ାକୁ ଶୋଷି ଲଭେ ସେ ଆତ୍ମସନ୍ତୋଷ ll
ନିର୍ମଳ ଶାଶ୍ୱତ ଭାବମୂର୍ତ୍ତିର ପ୍ରତୀକ ସର୍ବଦା ଧବଳ,
ସେଥିରେ ଟିକେ ବି ହୁଏନା ମାନବୀୟ ସୁଗୁଣ ହଲଚଲ ll
ବଗୁଲା ମଣିଷ ଆଜିର କାମ-କାମନାନଳେ ସୁଦଗଧ,
ବାହ୍ୟ ଭାବମୂର୍ତ୍ତି ଅଟଇ ତ ତା'ର ଯଥା ଖାଣ୍ଟି ଗୋ-ଦୁଗଧ ll
ଅନ୍ତର ଭାବମୂର୍ତ୍ତି ସଦାବେଳେ ଦିଶେ ଯଥା ତା'ର ଆମ୍ବିଳା ବାସି ଦଧି,
ଷଡ଼ରିପୁ ବଶେ ସ୍ୱାର୍ଥପର ସାଜି ପାଲଟି ଯାଉଛି ଘୁଣ୍ୟ ଅପରାଧୀ ll
କଳେ ବଳେ କୌଶଳେ ଝାମ୍ପେ ନିରୀହ ମୀନେ ଆଜିର ବଗୁଲା ମଣିଷ,
ଯେତେ ମିଳିଲେ ବି ନମେଣ୍ଟେ ଶୋଷଣ ତା'ର ମାତର ପରାଣ ହାରେ ସଦା ମୀନ-ମଣିଷ ll
ସହସ୍ର ସହସ୍ର ବରଷ ତଳର ଏଇ ଆମ ରସଗର୍ଭା ବସୁନ୍ଧରା,
ମୀନପୂର୍ଣ୍ଣ ତଡ଼ାଗ ଅଗଣିତ ଏଠି କିନ୍ତୁ ବଗୁଲା-ମଣିଷର ମୀନ-ଧନ-ଲିପ୍ସା ଅପାସୋରା ll
ବଗୁଲା-ମଣିଷର ମୀନାସକ୍ତିର ବିନାଶ ସମୂଳେ ଅସମ୍ଭବ,
ବଞ୍ଚିତ ତେଣୁ ଆଜି ସିଏ ଶାଶ୍ୱତାନନ୍ଦ ଲାଭୁ ଲଭେନା କେବେ ସେ ବୈକୁଣ୍ଠ ବିଭବ ll
ବିଶ୍ୱ ନିଳୟେ ଆଜି ବଗୁଲା-ମଣିଷ ହୋଇପଡ଼ିଛି ସଦସ୍ୟ ବିକେନ୍ଦ୍ରିକ,
ଅପେକ୍ଷାରତ ଆମେ ଜାଣିବାକୁ କେବେ ଯେ ସେ ହେବ ସୁକେନ୍ଦ୍ରିକ ll
ଉପରେ ମାଖି ଧଳା ଭିତରେ ମାଖି ରଙ୍ଗ କଳା କେତେଦିନ ସେ ଯେ ଆଉ ତିଷ୍ଠିବ ଏଇ ଆତ୍ମକେନ୍ଦ୍ରୀକ ମଣିଷ ବଗୁଲା,
ବିହି ଜାଣଇ ଏକଥା ମାତର ଆମେ କି ଜାଣୁ ଆମେତ ବାରବୁଲା ll
