ସନ୍ଦିଗ୍ଧ ଆତତାୟୀ
ସନ୍ଦିଗ୍ଧ ଆତତାୟୀ
ହେଇ ଦେଖ, ଧାଇଁ ଆସୁଛି
କ'ଣ....
ବୋଧେ ଗୋଟେ ଆତତାୟୀ,
କାୟା ମେଲାଇ ପବନ ବେଗରେ ଧାଉଁଛି
ସାତ ଦରିଆ ତେର ନଈ ସେପାଖରୁ
ବିଭୀଷିକା ର ତାଣ୍ଡବ ନେଇ ଆସୁଛି,
ଆଉ ପଛେ ପଛେ ଧାଇଁଛି ଅଜସ୍ର କୋଳାହଳ,
ତାକୁ ଧର, ତାକୁ ଅକ୍ତିଆର କର.....
ହେଲେ ନା....
ସେ ଅକ୍ତିଆର କରି ନେଉଛି ତା ବିଶାଳ ଉଦର ଭିତରକୁ,
ଆଖି ଆଗରେ ଯିଏ ଆସିଲା ଶୀକାର ପାଲଟିଛି,
ଲୋକ ସବୁ ସଜାଗ ହେଲେଣି,
ମୁହଁରେ କପଡ଼ା ବାନ୍ଧି, ପରସ୍ପର ଠାରୁ ଦୂରେଇ ଗଲେଣି,
ଆଜି କେହି କାହାର ନୁହନ୍ତି, ଭାଇ ଭାଇର ହାତ ଛାଡିଲାଣି,
ଏକ ଆତଙ୍କର ପରିବେଶ, ହାହାକାର ଭିତରେ ମିଳେଇ ଯାଇଛି ସ୍ବପ୍ନ ର ଅଟ୍ଟାଳିକା ସବୁ,
ଚାରିଆଡେ କେବଳ ଧ୍ୱଂସସ୍ତୂପ, କାନ୍ଦ ବୋବାଳି
ଶବଦାହ କରିବାକୁ ନା ବନ୍ଧୁ ନା ଆତ୍ମୀୟ !
ସମସ୍ତେ ଅନିଚ୍ଛା ସତ୍ତ୍ବେ ଘର କୋଣରେ ଆବଦ୍ଧ,
ହେଇ ଦେଖ ଦାଦନ ର ଜୀବନ ଗୁଡ଼ିକ ଘରମୁହାଁ ହେଲେଣି, ହେଲେ ଘର ଯେ ତାଙ୍କ ପାଇଁ ମନା !
ଭୋକ ଉପାସରେ ବାଟଚଲା, କେଉଁଠି ପାଦରୁ ରକ୍ତ ଝରିଲାଣି ତ କେଉଁଠି ପେଟର ଆକୁଳ କ୍ରନ୍ଦନ,
କିଏ କିଏ ସେ ଆତତାୟୀ !!
କିଛି ଦେବଦୂତ ଆଗେଇ ଆସିଛନ୍ତି ସାହାଯ୍ୟ ପାଇଁ
ଜୀବନ୍ତ ମୃତ ସମସ୍ତଙ୍କୁ ନିଜର କରିବାକୁ,
ଆତତାୟୀ ର ନାଁ ଦେଲେ କରୋନା....।
ଘମାଘୋଟ ଯୁଦ୍ଧ.....
ଦେଶ ବିଦେଶ ଅତିକ୍ରମ କରି ମୋ ରାଜ୍ୟକୁ ମାଡି ଆସିଛ
ି,
ମୋ ରାଜ୍ୟ ତ ଜଗା ହାତରେ ବନ୍ଧା,
ଏତେ ସାଧ୍ୟ କାହିଁ ସେ ରୋଗର !
କରୋନା ବୋଧହୁଏ ଭୟ ପାଇଲାଣି, ହେଇ ଦେଖୁନ
ତା ସାଥୀ ସଙ୍ଗାତଙ୍କୁ ଡାକ ପକେଇଲାଣି,
ପଛେ ପଛେ ଧାଇଁ ଆସିଲାଣି ବାତ୍ୟାର ପ୍ରକୋପ,
ମହାବାତ୍ୟାର ଉଗ୍ରରୂପ ନାଲି ଆଖି ଦେଖେଇଲାଣି,
କରୋନା କହିଛି ଦୂରେଇ ରହିଲେ ବଞ୍ଚିବ....
ବାତ୍ୟା କହୁଛି ଗୋଟିଏ ଛାତ ତଳେ ଏକାଠି ରୁହ....
କି ବିଷମ ପରିସ୍ଥିତି ଏ !
ବାତ୍ୟା ଏବେ ମହାବାତ୍ୟାର ରୂପ ନେଲାଣି,
ଅଥଳ ସାଗରରେ ତାଣ୍ଡବ ଲୀଳା କରି ସ୍ଥଳଭାଗ କୁ ମାଡି ଆସୁଛି,
ପ୍ରବଳ ମାତ୍ରାରେ ଲୋକ ଧାଇଁଲେଣି ଆଶ୍ରୟସ୍ଥଳୀ ଆଡ଼କୁ,
ସାଥୀରେ ପ୍ରାଣ ପ୍ରିୟ ଜୀବଜନ୍ତୁ, ଗଣ୍ଠିଲି ରେ କିଛି ଭିଟାମାଟି ର ସାଉଁଟା ସ୍ମୃତି,
ଏହିକ୍ଷଣି ବୋହିଯିବ ଆଖି ଆଗରେ ଖେତଖମା, ଚାଳ ଛପର, ଝାଳ ବୁହା ପରିଶ୍ରମର ଫଳ
ଜୀବନ ରହିଯିବ, ଜୀବିକା ଚାଲିଯିବ....
ହାଉଯାଉ ଜୀବନ କିଛି ନିଷ୍ପ୍ରଭ, ନିର୍ବିକାର ହେବ
ବାହାସ୍ଫୋଟ ମାରୁଥିବା ମଣିଷ ର ବୁଦ୍ଧି ହଜିଯିବ...
ରେ ଶ୍ରେଷ୍ଠ ଜୀବ , ଭୟ କରନା...ଦୁଇ ହାତ ଟେକି
ଉପରକୁ ଚାହାଁ , ଦେଖ୍ ତୋ ଉପରେ ଆଉ ଜଣେ ବସି ଅହରହ ଅନୁକ୍ଷଣ କରୁଛି...
କିଏ କେଉଁଠି ଅଛ , ଏକ ସ୍ୱରରେ ଜଗାକୁ ଡାକ
ତାହାରି ପାଖରେ ଅଛି ମହାମନ୍ତ୍ର,
ସିଏ ଚାହିଁଲେ କରୋନା ହଟିବ ଆଉ ଯେତେ ମହାବାତ୍ୟା ଥମିଯିବ ।
ସନ୍ଦିଗ୍ଧ ଆତତାୟୀ ର ସମୂଳେ ବିନାଶ ହେବ।