ହେ ଦେବୀ
ହେ ଦେବୀ
ହେ ଦେବୀ ,
ପ୍ରତିଥର ଏଇମିତି ଆସ ଶରତର ହାତ ଧରି, କାଶତଣ୍ଡୀର ପାଟଶାଢ଼ୀ ପିନ୍ଧି
ଶୀତଳ ସୁରଭିର ଭୁରୁଭୁରୁ ବାସ୍ନା ନେଇ ,
ଘନ ମେଘମାଳାର ମୁକୁଳିତ କେଶ
କୁଙ୍କୁମ ଅଳତା ବୋଳା ରକ୍ତିମ ସୂର୍ଯ୍ୟାସ୍ତର
ପ୍ରସାଧନରେ ସଜ୍ଜିତ ସେ ବେଶ ,
ହେ ଦେବୀ ,
ସ୍ବର୍ଣ୍ଣ ଆଭୂଷଣେ ବିମଣ୍ଡିତ
ଖଡ୍ଗ ଖର୍ପରରେ ଆଚ୍ଛାଦିତ ତୁମ ଦଶଭୁଜା
ତଥାପି ଓଷ୍ଠଧାର ମନ୍ଦହାସେ ପ୍ରକମ୍ପିତ ,
ଜନନୀ ଜାୟା ଦୁହିତା ହିତେ
ସଂକଳ୍ପର ଅମୋଘ ଅସ୍ତ୍ର ବଜ୍ରନାଦ କରେ
ଆର ଥରକୁ ଏକ ସ୍ୱର୍ଗୀୟ ପୃଥିବୀର
କିନ୍ତୁ ......
ସେ ଅଭିଳାଷ ଦୃଶ୍ୟମାନ ହୁଏ ଦିବାସ୍ଵପ୍ନରେ ,
ହେ ଦେବୀ ,
ମହିଷାସୁର ଏବେ ପୁନର୍ଜନ୍ମ ଲଭିଛି
ତା ଭାଙ୍ଗି ଯାଇଥିବା ଦର୍ପ ଗୁଡିକୁ ଯୋଡିଦେଇ
ଏକ ସନ୍ଦିଗ୍ଧ ଅମରତ୍ଵ ପ୍ରାପ୍ତି ଆଶାରେ
ତାକୁ ପାରିବ ଯଦି ଜାଳିପୋଡି ପାଉଁଶ କର
ସେଇ ଟହଟହ ରକ୍ତିମ ଚକ୍ଷୁର ଜ୍ବାଳାରେ ,
ଗତ ପାର୍ବଣରେ ବାକି ଥିବା ସ୍ବପ୍ନ ସବୁକୁ
ଉଜ୍ଜୀବିତ କରି ଭରିବ କି ମୁଠାଏ ଆତ୍ମବିଶ୍ବାସ
ନାରୀର ହଜିଯାଇଥିବା ଦମ୍ଭରେ....,
ହେ ଦେବୀ ,
ପ୍ରତିଶ୍ରୁତି ଦିଅ ଏଇ ପାର୍ବଣରେ
ଆଉ ଏକ ପୃଥିବୀର ଆବିର୍ଭାବ ହେବ
କାମନା ଯାତନା ଲାଞ୍ଛନା ରହିତ
ଆସ୍ଥା ବିଶ୍ବାସର ଧର୍ମରେ ବଳବତ୍ତର ରହିବ,
କୁରୁସଭାରେ ନାରୀ ଆଉ ବିବସନା ନହେବ
ପବନରେ ଆଶଙ୍କା ବହୁନଥିବ ,
ତୁମେ ତେବେ ବି ଆସୁଥିବ
ହେଲେ ମୁଖରେ ପ୍ରତିଶୋଧର ବହ୍ନି ନଥିବ
ମହୀରେ ପ୍ରତାରଣାର ଚିହ୍ନ ନଥିବ
ଦିଅ ମୁଠାଏ ସ୍ୱର୍ଗୀୟ ଚେତନା
ଏଠାରେ ଭୋକର ସଂଜ୍ଞା ବଦଳିବ ।।