ଶ୍ରାବଣୀ ଆଖିରେ ଆଖିଏ ଲୁହ
ଶ୍ରାବଣୀ ଆଖିରେ ଆଖିଏ ଲୁହ
ଝାଉଁଳି ପଡୁଛି ଝାଞ୍ଜିରେ ଆଷାଢ
କଅଁଳୁନି ଦୂବ ମନ ଅଥୟ
ଉତ୍ତାଳେ ହୃଦୟ ସାଗରର ବୁକୁ
ଶ୍ରାବଣୀ ଆଖିରେ ଆଖିଏ ଲୁହ ।
ଦହନର ଜ୍ଜ୍ବାଳା ହାହୁତାଶେ ପ୍ରାଣ
ବିଦଗ୍ଧ ବିବସ୍ତ୍ର ଦିଶେ ଆକାଶ
ଭିଜେ ନାହିଁ ଦେହ ଗୋଟାପଣେ ଆଉ
ଝଡ ପୂର୍ବାଭାସେ ଲାଗଇ ତ୍ରାସ ।
ସ୍ପନ୍ଦିତ ହୁଏନି ଶବ୍ଦର ଝଙ୍କାର
କବିର କଳ୍ପନା ଯାଏ ନିରବୀ
ଉଦ୍ଭାସେନି ମେଘ ଇନ୍ଦ୍ରଚାପ ରଙ୍ଗ
ମଳିନ ଦିଶଇ ପୂରବୀ ଛବି ।
ଲାଗଇ ବିଚିତ୍ର ଜୀବନ ଅଧୁରା
ବିଳପେ ପ୍ରକୃତି ସବୁଜ ପ୍ରାଣ
ଖେଳାଏନି ଖୁସି ମନରେ ଆନନ୍ଦ
ରସହୀନ ଲାଗେ ମଧୁ ପାର୍ବଣ ।
ଉଚ୍ଚାଟେନି ମନ ନିଷ୍ପ୍ରଭ ପ୍ରଭାତ
ଭାଙ୍ଗେ ବାଲିଘର ଅନୁଢା ସ୍ବପ୍ନ
ବାଧା ପ୍ରତିବନ୍ଧେ ଅତିଷ୍ଠ ଶ୍ରାବଣୀ
ପ୍ରତିଶୃତିହୀନ ଲକ୍ଷ୍ଯ ଜୀବନ ।
ହସି ହସାଇବ ସ୍ବଚ୍ଛନ୍ଦେ ଶ୍ରାବଣୀ
ସୁକୋମଳ ଆଶା ହେଉ ସାକାର
ଆସ ବିଞ୍ଚିଦେବା ତାର ଚଲାପଥେ
ସୁମନ ଆଦର ଶିକ୍ଷା ସଂସ୍କାର ।।
