ଶବ୍ଦରୁ ସୃଜନ-30 : ପ୍ରେତାତ୍ମା ଓ କୋଠି : କବିତା : ପ୍ରମାଣ ହୋଇନି ସତ
ଶବ୍ଦରୁ ସୃଜନ-30 : ପ୍ରେତାତ୍ମା ଓ କୋଠି : କବିତା : ପ୍ରମାଣ ହୋଇନି ସତ


ଶବ୍ଦରୁ ସୃଜନ-30 : ପ୍ରେତାତ୍ମା ଓ କୋଠି :
ମଣିଷଟି ମଲେ ମାଟି ଶରୀରକୁ ଛାଡ଼ି ଆତ୍ମା ଚାଲିଯାଏ,
ମଣିଷର ଆତ୍ମା ନିଜ କର୍ମ ଧରି ସ୍ୱର୍ଗ ବା ନରକ ଯାଏ |
ଅଧିକ ଆସକ୍ତି ମନରେ ଅଶାନ୍ତି ରହିଥିଲେ ସେ ଆତ୍ମାର,
ସ୍ୱର୍ଗ-ନରକର ମଝିରେ ରହେ ସେ ଏହା ହିଁ ଆମ ବିଚାର |
ପ୍ରେତାତ୍ମା ନାମରେ ହୋଇ ପରିଚିତ ଘୂରି ବୁଲେ ଏଣେତେଣେ,
କେବେ ସେ ଗଛରେ କେବେ ନିର୍ଜନରେ ରହେ ଅନ୍ଧାରୁଆ ବଣେ |
ଆତ୍ମହତ୍ୟା କରି ମରଣ ଲଭିଲେ ହୁଏ ସେ ଆତ୍ମା ଅଶାନ୍ତ,
ଦୁର୍ବଳ ମନରେ ସବାର ହୋଇଲେ ଭ୍ରମ ସୃଷ୍ଟିକରେ ଭୂତ |
ଯୁଗଯୁଗ ଧରି ଏଭଳି ଘଟଣା ଘଟୁଛି ଆମ ଆଗରେ,
ଭୂତ ତ ଗପୁଛି ଗୁଣିଆ ଝାଡ଼ୁଛି ଛାଡ଼ିଯାଉଛି ଅଳ୍ପରେ |
ଭୂତ-ପ୍ରେତ ଆଉ ଡାହାଣୀ ଉପରେ ରହିଛି ଅନେକ ମତ,
ଭୂତ-ପ୍ରେତ ଆଉ ଅଶରିରୀ କଥା ପ୍ରମାଣ ହୋଇନି ସତ |
କିଛି ଭଙ୍ଗାଘର ପୁରୁଣା କଥାକୁ ଭୂତକୋଠି କୁହାଯାଏ,
ସେଠାରେ ବିଭିନ୍ନ ଜନ୍ତୁ ରହିଥା'ନ୍ତି ଯେହେତୁ ସୁବିଧା ଥାଏ |
କେତେକ ଡରୁଆ କେତେକ ମିଛୁଆ ପ୍ରଚାର କରନ୍ତି ଭ୍ରମ,
ପ୍ରେତ-ଭୂତ ଏହି କୋଠାରେ ରହନ୍ତି ଦିଅନ୍ତି ମିଛ ପ୍ରମାଣ |
ଅଶରିରୀ ଗପ ଅନେକ କହନ୍ତି ଶୁଣିବାକୁ ଲାଗେ ମଜା,
ଦୂର୍ବଳ ମନରେ ଡର ବସା ବାନ୍ଧେ କାହାପାଇଁ ହୁଏ ସଜା |