ସାମ୍ରାଜ୍ଯ
ସାମ୍ରାଜ୍ଯ
ସାମ୍ରାଜ୍ଯ ବିସ୍ତାର କରିବାକୁ ଦିନେ
ଅଣ୍ଟା ଭିଡି଼ଯାଅ ଚାଲି
ଯୁଦ୍ଧର ବିଗୁଲ ବାଜିଲେ କି ହେବ
ବୀରଗତି ପ୍ରାପ୍ତ ଖାଲି ।
ଦେଶର ସାମ୍ରାଜ୍ଯ ବଢି଼ଲେ କି ହେବ
ଯଦିରେ ଧନ ଜୀବନ
ନଷ୍ଟ ହୋଇଯିବ ଜାତୀୟ ସମ୍ପତି
କାହିଁକି କରୁଛ ମନ ।
କେତେ ମାଆଙ୍କର ଆକୁଳ ଚିତ୍କାର
ପୁଅ ଓ ଝିଅ ଅନାଥ
ବିଧବା ନାରୀକୁ ଦେଖିଦେଲେ ଥରେ
ପୂରେକି'ରେ ଲକ୍ଷ୍ଯ ପଥ ।
ଦେଶ ପାଇଁ ସିନା ବୀରର ଜାତକେ
ଲେଖା ଜୀବନକୁ ଝାସ
କିନ୍ତୁ ହେ ଶାସକ ଭାବନ୍ତୁ ତ ଥରେ
ସତ୍ଯର ଜୟ ନା ବିଷ ।
ମନ ହୃଦୟକୁ ଯଦିରେ ଜିତିବା
ସେ ହେବ ଅମୃତ ପଥ
ବଶ ଯଦି ହେବେ ନିନ୍ଦୁକ ହିଂସୁକ
ଏହି ଜୟଯାତ୍ରା ସତ୍ଯ।
ଭାଇଚାରା ଯେଉଁ ଦେଶ ଦେଶ ମଧ୍ଯେ
ଯଦିରେ ହୋଇଲା ନାହିଁ
ଉକୃଷ୍ଟ ଶାସକ ତା'ଦେଶରେ କେବେ
ଗଣାହେବ କାହା ପାଇଁ ।
ହେ ଶାସକଗଣ କୋଟିଏ ପ୍ରାର୍ଥନା
ଥରେ ତ ଭାବ ନିଜକୁ
ସାମ୍ରାଜ୍ଯ ବିସ୍ତାର କରିବା ଚାହିଁଲେ
ଲୋକ କଲ୍ଯାଣ ଆଗକୁ।
ଯଦିରେ ନିଶ୍ଚୟ ସୁଶାସକ ହେବ
ସନ୍ତୋଷକୁ ଦିଅଚାହିଁ
ସାମ୍ରାଜ୍ଯ ବିସ୍ତାର ନାମରେ ଧ୍ବଂସକୁ
କରୁଅଛ ଆଜି କାହିଁ ।
ଏହିକଥା ଦିନେ ସହର ମଧ୍ଯରେ
ପାଗଳଟେ କହୁଥିଲା
ଯାଉଥିଲେ ରାଜା ଶୁଣିକି ଶାସକ
ଆଖିରୁ ଝର ଛୁଟିଲା।
ଦୋଷକୁ ମାନିଲେ ଦେଶର ଶାସକ
କ'ଣ ବା କରିବେ ଏବେ
ଧ୍ବଂସ ତ ହେଲାଣି ଧନ ଓ ଜୀବନ
ଯୁଦ୍ଧ ହୋଇବାରୁ ଭବେ।
