ଲେଖୁ ଲେଖୁ ଲେଖି ଦେଲି
ଲେଖୁ ଲେଖୁ ଲେଖି ଦେଲି
ଲେଖୁ ଲେଖୁ କିଛି
ଲେଖି ଦେଲି ମୁହିଁ
ଦେହକୁ ନେବନି କେହି
ସଂସାର ମଧ୍ୟରେ
ଅନେକ ଘଟଣା
କିଛି କହି ହୁଏ ନାହିଁ ।
ଖଟିଖିଆ ଚାଷୀ
ଲୁହକୁ ନିଗାଡି
ସଂସାରକୁ ଦିଏ ଦାନା
ନିଜେ ଖାଉଥାଏ
ବାସି ପଖାଳକୁ
କେବେ ପେଟେ ଓଦାକନା ।
ଗରିବ ଶ୍ରମିକ
ଶ୍ରମଦାନ କରି
ଗଢେ କେତେ କୋଠାବାଡି
ଭଙ୍ଗା ଚାଳିଆରେ
ମୁଣ୍ଡ ଗୁଞ୍ଜୁଥାଏ
ପାରେନା ତାକୁ ସଜାଡି ।
ସୁଆଁସିଆ ଘର
ଅଛପର ବୋଲି
ପ୍ରବାଦେ ରହିଛି ଲେଖା
ଦିନରେ ସୂରୁଜ
ରାତ୍ରିରେ ଶଶିର
ହୋଇଥାଏ ନିତି ଦେଖା ।
ଶୁଖିଲା ରୁଟିଟେ
ପେଟ ପାଇଁ ଶିଶୁ
ଚୋରି କରି ବନ୍ଧା ହୁଏ
ବାବୁ ହାକିମ ଯେ
କୋଟି କୋଟି ଚଳୁ
ଆରାମରେ କରିଦିଏ ।
ନେତାଏ ସର୍ବଦା
ମିଛ କହିଥାନ୍ତି
ଜନତା ମାରନ୍ତି ତାଳି
ସାଧାରଣ ଲୋକ
ମିଛ କହିଦେଲେ
ସଭିଏଁ ଦିଅନ୍ତି ଗାଳି ।
ଅନୀତି ଦୁର୍ନୀତି
ବ୍ୟଭିଚାର ଏଠି
କରେ ନିତି ଯେଉଁ ଜନ
ଅଧର୍ମ ବିତ୍ତକୁ
ବଢାଇ ବଢାଇ
ସମାଜେ ପାଏ ସମ୍ମାନ ।
ହାତୀ ଖସିଯାଏ
ପିମ୍ପୁଡି ଗଳେନା
ଆଇନ୍ ବ୍ୟବସ୍ଥା ଏହି
ପଶୁ ତୁଲ୍ୟ ଆଜି
ସ୍ବାର୍ଥରେ ମଣିଷ
ବାଟବଣା ଗଲା ହୋଇ ।
ଯେଉଁ ପିତାମାତା
ଆଦ୍ୟଗୁରୁ ହୋଇ
ସମାଜେ କରିଲା ଠିଆ
ବୃଦ୍ଧ ବୟସରେ
ବାରଦ୍ବାର ବୁଲି
ବୃଦ୍ଧାଶ୍ରମରେ କିଆଁ ।
ଏତେ ଅବିବେକି
କେମିତି ହୋଇଲା
ଶିକ୍ଷା ଦୀକ୍ଷା ସବୁ ଭୁଲି
ସଂସ୍କାର ସଂସ୍କୃତି
ପରମ୍ପରା ଆଦି
ଦେଇଦେଲା ଜଳାଞ୍ଜଳି ।
ଏମିତି ଅନେକ
ଘଟଣା ଘଟିଛି
ଆମ ସମାଜରେ ନିତି
ଲେଖୁ ଲେଖୁ ମୁହିଁ
ଲେଖିଦେଲି କିଛି
ଆହୁରି ଅନେକ ବାକି ।