କିମ୍ପାଇଁ ଏ ଦୁର୍ଦଶା ମୋହର ?
କିମ୍ପାଇଁ ଏ ଦୁର୍ଦଶା ମୋହର ?
ଅଜଣା ଏ ରାସ୍ତା ଆଉ ଅସୀମ ଅନ୍ଧାର
ଡରାଇ ପାରେନି ମୋତେ ମୁଁ ତ ମୃତ୍ୟୁର୍ମୁଖୀ
ରକ୍ତାକ୍ତ ଶରୀର ମୋର ଶାୟିତ ଧରାରେ
ଆଉ ନୂଆ ପରିଚୟ ଆଜି ମୁଁ ଧର୍ଷିତା !
ବାଟ ଚାହିଁଥିବେ ମୋର ପିଅର ମୋ ଘରେ
ବୁଲିଯିବୁଁ ଆମେ ନୂଆ ସହର ମୁଁ ଗଲେ
ଖୁସି ରେ ଅତ୍ୟନ୍ତ ଥିଲା ଜୀବନ ମୋହର
ହେଲେ କଲ କିମ୍ପାଇଁ ଏ ଦୁର୍ଦଶା ଘୋର ?
ମନୁଷ୍ୟ ଆମେ ତ ସର୍ବ ଜୀବ ମଧ୍ୟେ ଶ୍ରେଷ୍ଠ
ଯା’ର ପୁତ୍ର ଥିବ ତୁମେ ପିତାର ବି ଗର୍ବ
ହେଲେ ଦେଖି କାହାର ଦୁଲାଳୀ ପୁଷ୍ପଟିକୁ
ତୁମେ ତ କରିଲ ତାକୁ ବାସନା ସାମଗ୍ରୀ !
ଅଜଣା ଜାଗାରେ ଆଜି ଲୋଟିଛି ମୁଁ ଏଠି
ବଞ୍ଚିବାର ପାଇଁ ଶତ ସଂଗ୍ରାମ କରଇଁ
ତୁମେ ଏବେ ମଦ ମାଂସ ଖାଇ ମହାନନ୍ଦେ
ବୁଲୁଥିବ ଭଦ୍ର ମୁଖା ଲଗାଇ ନର୍ବିଘ୍ନେ !
କାନ୍ଦିବେ ମୋ ପିତା ମାତା ଆକୁଳ ପରାଣେ
ଦେଖି ମୋ ଲହୁରେ ଭିଜା ବସନ ସର୍ବସ୍ୱ
ଥିଲା ମୋ ଜୀବନେ କେତେ ଆଶା ଉଦ୍ଦିପନା
ଭାଙ୍ଗିଦେଲ ଝଡ଼ରୂପେ ଆସି ସହସା ଯେ !
ଧାରଣ କରିଥିଲି ମୁଁ ସମ୍ପୂର୍ଣ୍ଣ ବସନ
ସମାଜ କହିବ ନାହିଁ ଥିଲି ଅର୍ଦ୍ଧନଗ୍ନ
ସାହାଯ୍ୟ ମାଗିବା ସତେ ଥିଲା କି ମୋ ଭୁଲ
ହେଲେ ତୁମେ ଠିକ ଥିଲ ନିଶା ରେ ମଦାନ୍ଧ ।
ଖିନଭିନ ଶରୀରର ସାକ୍ଷୀ ସେହି ଯାନ
ସିଏ ହିଁ କହିବ ତୁମେ ଥିଲ ବେଇମାନ
ଜଣେ ନୁହେଁ ବହୁ ଶୃଗାଳର କାମୁଡ଼ାରେ
ପିଡାରେ ଫାଟି ପଡଇ ଅଙ୍ଗ ଅବୟବ !
ଫିଙ୍ଗିଲ ବୁଝାଇ ଅଗ୍ନି ତୁମ କାମନାର
କେଉଁଠି ପଡ଼ିଛି ମୁହିଁ ସେ ବି ଅଗୋଚର
ବିକଳ କ୍ରନ୍ଦନ ମୋର କାହାକୁ ନ ଶୁଭେ
ଦେହ ସଙ୍ଗ ଦମ୍ଭ କ୍ରମେ ଅବଶ ହୁଅଇ ।
ଓଠ ଖୋଜେ ମୋର ଏବେ ନିର୍ମାଲ୍ୟ ଜଳକୁ
ମୃତ୍ୟୁର ଆଗମନୀର ଦେଲାଣି ସନ୍ଦେଶ
ଚକ୍ଷୁ ଅର୍ଦ୍ଧନିମିଳିତ ପ୍ରାଣ ହେବ ହେବ ଶେଷ
ଦେଖିବାକୁ ପ୍ରିୟଜନେ ରହିଲା ଅବଶୋଷ !
ଦମିନୀର ପରି ଊର୍ଦ୍ଧୁ ପଡିଛି ଭୂମିରେ
ଶୁଣ ଅତ୍ୟାଚାରୀ ଦଳ ମୋର ନିଜ ବଳେ
ମରି ଥାଇ ଏହି ରୂପେ ନିସ୍ତାର ଦେବିନି
ଏ ଘଟନା ଚେତାଇବ ସବୁ କନ୍ୟା ରତ୍ନେ !
ଆଉ ଅଭିଶାପ ମୋର ଅସ୍ପଷ୍ଟ ଗଳାରେ
ମରିବରେ ତିଳେ ତିଳେ ଜୀବନ ତୁମର
ଘୃଣିତ ଲାଂଛିତ ହୋଇ ତୁମ ପରିବାର
ରହିବେ ତୁମ କୁକର୍ମେ ହୀନମନ୍ୟ ହୋଇ !