STORYMIRROR

Kailash Chandra Sahani

Abstract Tragedy Crime

4  

Kailash Chandra Sahani

Abstract Tragedy Crime

ପ୍ରତାରଣା ର ପ୍ରତିବିମ୍ବ

ପ୍ରତାରଣା ର ପ୍ରତିବିମ୍ବ

1 min
308


ବିମ୍ବ ରୁ ପ୍ରତିବିମ୍ବ

ପ୍ରତାରଣାର ପ୍ରଚ୍ଛନ୍ନ ଇଙ୍ଗିତ ,

ହଜି ଯାଉଥିବା ଶୀତାର୍ତ୍ତର ସୋରିଷ କ୍ଷେତ

ବାଟବଣା ମୌସୁମୀର ଉଦ୍ଦାମ ସଙ୍ଗୀତ

କପୋତୀର ବାହୁନା କାନ୍ଦଣା

'ଉଠ୍ ପୁତା ଉଠ୍'

ସବୁଠି ପ୍ରତାରଣାର ଦିଶାହୀନ

ପାଲଟଣା ମନର ବୋଇତ !


ବିଶ୍ବାସର ବିସ୍ମୃତି ଭିତରେ

ସମ୍ମୋହନର ସନ୍ଧି କ୍ଷଣ

ପ୍ରତାରିତ ହୁଏ ,

ଗହଳ ମାଣ୍ଡିଆ କିଆରୀରେ

କିଏ ଛୁଏଁ ଜହ୍ନର ଚିବୁକ

କେଉଁ ଫୁଲଗଛ ମରିଯିବାର କାରଣ

ଖୋଜୁ ଖୋଜୁ ପ୍ରତାରଣା ଫସିଲ୍ ହୋଇଯାଏ

ଡଙ୍ଗର ତଳର କୁରେଇ ଫୁଲ,

ମାଆ କୋଳ ଶୂନ୍ୟ ପଡିଥାଏ

ନୀଳ ଆକାଶ ତଳେ !


କେଉଁଠି ଅଟକିଯାଏ କୃଷ୍ଣଚୂଡା ର

ଅର୍ଦ୍ଧ ମୁକୁଳିତ ମୁକୁଳ

କେଉଁଠି ହାଇ ମାରେ କାହା ପ୍ରତାରଣାର

କଳାଛାଇ ,

ମହାନଦୀ ର ନୀଳଢେଉ

ଜୀବନ ନାଟକର ଅଙ୍କ କଷୁଥାଏ

ଖରିବଣ ଶୂନ୍ୟ ସିକତାରେ ।


ଲଲିପପ୍ ଦେଖାଇ କିଏ ଭଣ୍ଡେ

କାଠ କେବିନ ତଳେ ଉଣ୍ଡେ

ପର କଅଁଳି ନଥିବା ଶାବକର ଡେଣା

ଗୋଟେ ରକ୍ତ ଜୁଡୁବୁଡୁ ଲାଲପରୀଟିଏ

ମୂର୍ଚ୍ଛିତ ହୋଇ ପଡିଥାଏ ପ୍ରତାରଣାର ପ୍ରହେଳିକାରେ !


ଗର୍ଭଣା ସଂକ୍ରାନ୍ତିରେ ଥୋର ବାହାରି ନଥିବା ଧାନକେଣ୍ଡା ଦେଖି

କାହା ମନତଳେ ଚରିଯାଏ ବିଷ

କିଏ ପ୍ରତିଶ୍ରୁତିର ପାହାଡ ମଥାନରେ

ଦେଖୁଥାଏ ପ୍ରତାରଣାର ଶେଷ ଇସ୍ତାହାର ,

କାକୁସ୍ଥ ସମୟ ଧୀରେ ଧୀରେ ନିଏ ଅବସର ।


ପ୍ରତାରଣାର ଶେଷ ସ୍ବର ଟିଏ

ଗୁମୁରି କାନ୍ଦୁଥାଏ

ପ୍ରେମର ପରିତ୍ୟକ୍ତ କାଗଜ ଠୁଙ୍ଗାରେ

ପାନ୍ଥଶାଳାର ଶିଉଳି ଚଟାଣରେ ,

ଭଙ୍ଗାଚୁଡି , ବିକ୍ଷିପ୍ତ ରେତ,

ଆଉ ରକ୍ତଭିଜା ଅନ୍ତଃବସ୍ତ୍ର

କାହା ସରଜମିନ ତଦନ୍ତର ଖୋରାକ ପାଲଟେ

ଶୀତ ସକାଳରେ ।


ପ୍ରତାରଣା ସରେ ନାହିଁ

ଜୀବନର ଖଣ୍ଡିତ କାବ୍ୟରେ ,

ନୂଆ ଆଶାର ଅରୁଣିମାରେ

କିଏ ଛୁଇଁ ଯାଏ ମନ ଉପକୂଳ

ପତଙ୍ଗର ନିଃସର୍ତ୍ତ ଆତ୍ମ ସମର୍ପଣ ପରି

ପ୍ରତାରଣା ଉଦ୍ଭାସିତ ହୁଏ

ସକାଳର ଖବର କାଗଜ ପୃଷ୍ଠାରେ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract