ଶେଷ ଇଛା
ଶେଷ ଇଛା
କାହିଁକି ଲୁଚିଛ
ବଡ ଦେଉଳରେ
ଶୁଣୁନାହଁ ମୋର ଡାକ
ସକାଳରୁ ସଞ୍ଜ
ସଞ୍ଜରୁ ସକାଳ
ଖୋଜୁଛି ବଣ ମୂଲକ ।
ଷାଠିଏ ପଉଠି
ଭୋଗ ତୁମ ପାଇଁ
ହୋଇଥାଏ ଖଞ୍ଜା ନିତି
ପେଟ ଚାଖଣ୍ଡଟା
ଉପାସ ରହୁଛି
ଦାଉ ସାଜୁଛି ନିୟତି ।
ପୀତ ବସ୍ତ୍ର ତୁମ
ପ୍ରିୟ ପରିଧାନ
ବୋଲାଊଛ ପୀତବାସ
ଲାଜ ଲୁଚିବାକୁ
କନା ଖଣ୍ଡେ ନାହିଁ
ମୁଣ୍ଡ ଗୁଞ୍ଜିବାକୁ ବାସ ।
ଚକାଆଖି ତୁମ
ପହୁଡ ପଡେନି
ସଂସାରକୁ ପାର ଦେଖି
ମୋ ଦୁଃଖ ଯନ୍ତ୍ରଣା
କାହିଁକି ପ୍ରଭୁ ହେ
ପାରୁନାହଁ ତୁମେ ଦେଖି ।
ଯଉବନ ମୋର
ଫିକା ପଡିଲାଣି
ବାର୍ଦ୍ଧକ୍ୟ ଆସଇ ମାଡି
ଦୁର୍ଦ୍ଦିନରେ ପ୍ରଭୁ
ସାହା ନ ହୋଇଲେ
ପ୍ରାଣ ନିଅ ମୋର କାଢି ।
ପରାଣଙ୍କୁ ମୋର
ଲୋଭ ନାହିଁ ପ୍ରଭୁ
ମୋହ ନାହିଁ ସଂସାରର
ତୁମ ନାମ ଧରି
ଭବ ସାଗରରୁ
ମହାବାହୁ ପାରି କର ।।