ପରୀରାଇଜ
ପରୀରାଇଜ
ପରୀରାଇଜ ସପନ ମିଠା
ମନଟା ପ୍ରଜାପତି
ଲଗାଏ ରଙ୍ଗ ଖେଳାଏ ଭାବ
ଉଠଇ ମନ ନାଚି ।
ଭେଟ ହୁଅନ୍ତି ବାବନା ଭୂତ
ପିଶାଚ ଦେବଦୂତ
ଯାଚି ଦିଅନ୍ତି କଠଉ ଛତା
ମାଗଣା ଲଲିପପ ।
ଦୂର ପର୍ବତେ ସୁନାର ଆତ
ଗଛରେ ଥାଏ ଫଳି
ଏକ ନିଶ୍ୱାସେ ଧାଇଁଲେ କାଳେ
ପାରନ୍ତି ତାକୁ ତୋଳି ।
ମନପବନ କଠଉ ମାଡି
ଚାଲିବ ଶୂନ୍ୟେ କେବେ
ଉଡାଇନେବ ପକ୍ଷୀ ରାଇଜ
ଘୋଡା ସବାର ହେଲେ ।
ପରୀ ରାଇଜ ରାଜକୁମାରୀ
ସୁନ୍ଦରୀ ସୁକୁମାରୀ
ଗଜଦନ୍ତର ଶେଜ ସୁପାତି
ପଲଙ୍କ ଥାଏ ପାରି ।
ଡାକଇ ହସି ହାତକୁ ଠାରି
ଆସ କୁମର ବର
ରହିବା ଆମେ ଏକାଠି ଦୁହେଁ
ଏଇଠି କରି ଘର ।
ଡାକରେ ତାର ଭାଙ୍ଗେ ସପନ
ଲାଗଇ ସବୁ ମିଛ
ପରୀ ରାଇଜ ଭାବନା ମାତ୍ର
କଥା କାହାଣୀ ଗପ ।
ପଢିଲେ ପାଠ ମନ ଲଗାଇ
ହୁଅଇ ବିଦ୍ୟା ବୁଦ୍ଧି
କଠିନ ଶ୍ରମ ଅଟଇ ମୂଳ
ପରିଶ୍ରମ ହିଁ ସିଦ୍ଧି ।