ମୌସୁମୀ ତୁମେ ଛୁଇଁଦେଲେ ଥରେ
ମୌସୁମୀ ତୁମେ ଛୁଇଁଦେଲେ ଥରେ
ବକ୍ଷେ ତୁମ ଘନ କୃଷ୍ଣ ମେଘମାଳା ଦେଖି
ଭୁଲିଯାଏ ନିଦାଘର ଅସହ୍ୟ ଯାତନା
ଇଚ୍ଛାହୁଏ ତୁମେ ମୋତେ ଛୁଇଁବା ପୂର୍ବରୁ
ବାନ୍ଧି ମୁଁ ରଖନ୍ତି ତୁମକୁ
ମୋ ନିବିଡ ବାହୁବନ୍ଧନରେ ।
ହେ ପ୍ରିୟ ମୌସୁମୀ !
ପ୍ରତୀକ୍ଷାର ପ୍ରତିଟି ମୁହୂର୍ତ୍ତ
ଲାଗେ ସତେ ଶତ ଯୁଗ ପରି
ନିରସ ଊଷର ରୁକ୍ଷ ଲାଗେ ଏ ଶରୀର
ତୁମ ପଥ ଚାହେଁ ଝୁରି ଝୁରି ।
ତୁମେ ଛୁଇଁଦେଲେ ଥରେ
ହୁଏ ମୁହିଁ ସୁଜଳା ସୁଫଳା
ଛାଇଯାଏ ସବୁଜିମା ଅଙ୍ଗେ
ଆନନ୍ଦେ ମୁଁ ହୁଏ ଊର୍ଜସ୍ୱଳା ।
ମୋ ବକ୍ଷେ ତଟିନୀ ଧାଏଁ
କ୍ଷୀପ୍ର ବେଗେ ସାଗର ସଙ୍ଗମେ
ନିର୍ଝରିଣୀ ଝରି ଯାଏ ଝର ଝର ହୋଇ
ସୁର ତୋଳି କୁଳୁ କୁଳୁ ତାନେ ।
ରକ୍ତ ପ୍ରାୟ ତୁମ ବୃଷ୍ଟି ବାରି
ସତେକି ମୋ ଧମନୀ ଓ ଶିରା ପ୍ରଶିରାରେ
ଧାଉଁଛନ୍ତି କ୍ଷିପ୍ର ବେଗେ ତଟିନୀ ପରାୟେ
ମିଶିବାକୁ ମୋ ହୃଦ ସାଗରେ ।
ତୁମ ସ୍ପର୍ଶେ ସୁବାସିତା ହୁଏ
ଯୂଇ ଜାଇ କେତକୀ ମହକେ
ସଜ ହୁଏ ନବବଧୂ ବେଶେ
ନେଇ ଇନ୍ଦ୍ରଧନୁ ସପ୍ତରଙ୍ଗ
ଆଉ ଚପଳାର ସ୍ୱର୍ଣ୍ଣାଭ ଚମକେ ।
ତୁମେ ଆସିଗଲେ ପାଶେ
ଭୁଲିଯାଏ ବିରହ ବେଦନା
ତୁମ ପ୍ରୀତି ଅଙ୍ଗ ସଙ୍ଗ ଲଭି
ଆରମ୍ଭଇ ନୂତନ ସର୍ଜନା ।
ମୋ ବକ୍ଷୋଜ ସମ ଶୈଳ ଶ୍ରେଣୀ
ପୂର୍ଣ୍ଣ ଯହିଁ ଘନ ଅରଣ୍ୟାନୀ
ତୁମ ସ୍ପର୍ଶେ ଶ୍ୟାମଳ ସବୁଜ
ସୌନ୍ଦର୍ଯ୍ୟ ତା ମନ ନିଏ କିଣି ।
ତୁମ ପାଇଁ ସାଜେ ମୁଁ ଶୃଙ୍ଗାର
ନାନା ବିଧ ପୁଷ୍ପ ଆଭୂଷଣେ
ଢାଳିଦେଇ ପ୍ରୀତି ବାରି ତୁମେ
ଚାଲିଯାଅ ଦୁଃଖ ଦେଇ ମନେ ।
ଯିବ ଯଦି କଥା ଦେଇଯାଅ
ଯଥା କାଳେ ଫେରିବ ନିଶ୍ଚିତ
ନ ଫେରିଲେ ତୁମ ବିନା ପ୍ରିୟ
ଆସିବନି ଶରତ ବସନ୍ତ ।