କାବ୍ୟ ନାୟିକା
କାବ୍ୟ ନାୟିକା
ଉଦାସ ଅପରାହ୍ନ ଭଳି ତୋ ଆଖି,
ଅସ୍ତଗାମୀ ସୂର୍ଯ୍ୟ ଭଳି ତୋ ଚେହେରା
ଇଚ୍ଛା ହୁଏ ସେଠି ନିଜକୁ ହଜେଇଦେବାକୁ ଜୀବନସାରା ।
ପର୍ବତର ଖାଲ-ଢ଼ିପ ପରି ତୋ ଅଙ୍ଗଭଙ୍ଗୀ,
ଦେହରେ ତୋର ବିଜୁଳି ଭଳି ଚମକ
ଇଚ୍ଛା ହୁଏ ପାଇବାକୁ ଟିକେ ସେ ଖଟା-ମିଠା ଆଘାତ ।
ନଦୀର ଶୀତଳତା ପରି ତୋ କଥା,
କୋଇଲି ପରି ତୋର ମିଠା ସ୍ୱର
ଇଚ୍ଛା ହୁଏ ବଂଶୀଟିଏ ହେଇ ବାଜିବାକୁ ତୋ ପିଆଲି ଓଠର ।
ବଣ ସବୁଜତା ପରି ତୋର ଶାଢ଼ୀ,
ମାଖିଥାଉ ନାଲି-ନୀଳ କୁସୁମମିଶା ଜ୍ୟୋସ୍ନା...
ଇଚ୍ଛା ହୁଏ ମୋ ଦେହେ ବୋଳିବାକୁ ସେ ମତୁଆଲି ବାସ୍ନା ।
ମୃଦୁ ମଳୟ ପବନ ପରି ତୋ ମନ,
ସ୍ଥିର ମନେ ଖେଳାଏ ଅସ୍ତିରତାର ଶିହରଣ
ଇଚ୍ଛା ହୁଏ ତୋ ଦେହେ ଚିରକାଳ ପାଇଁ ହେବାକୁ ଲୀନ ।

