ପ୍ରଗଲ୍ଭା ପ୍ରେମିକା
ପ୍ରଗଲ୍ଭା ପ୍ରେମିକା
ମରି ଯାଇଥିଲା ଖୁସିର ଆଶାସବୁ
ହଜି ଯାଇଥିଲା ପରିଚୟ ମୋ ନିଜର,
ଦିନ ପରେ ଦିନ ରାତି ପରେ ରାତିସବୁ
ବିତୁଥିଲା ଲୁହଭିଜା ଶେଯର ଆଉ ଯନ୍ତ୍ରଣାର
କୋଉଠୁ ପାଇଲ ତୁମେ ଠିକଣା ମୋର ।
ଯନ୍ତ୍ରଣାର ଶେଯରୁ ଉଠେଇଲ ମୋତେ
ବାସ ଭିଜା ଆଖିରେ ଆଖିଏ ସ୍ୱପ୍ନ ଦେଲ,
ଅସଜଡ଼ା ଜୀବନକୁ ସଜାଡ଼ିଲ ମୋର
ପୁଣି ଅତୀତର ଅଶାନ୍ତ ନିଆଁକୁ ଶାନ୍ତକଲ
ମୋ ମନ ମନ୍ଦିରରେ ଦେବିଟିଏ ତୁମେ ସାଜିଗଲ ।
ରାତିର ଅନ୍ଧକାର ଆଜି ଯାହାକୁ ଖୋଜୁଛି
ମୋର ସବୁ ସୁଖ ଦୁଃଖ ମୁଁ ଆଜି ଯାହାକୁ ବାଣ୍ଟୁଛି,
ମୋତେ ନ ଦେଖିଲେ ଯିଏ ମୋତେ ଝୁରୁଛି
ମୋ ପାଇଁ ପ୍ରତିଦିନ ନୂଆ ନୂଆ କବିତା ଯିଏ ଲେଖୁଛି
ସିଏ ମୋ ଜୀବନ ଆଜି ମୋ ପାଇଁ ସାଜିଛି ।
ଦେଖା ହେଇନାହଁ କେବେ ମୋ ସାମ୍ନାରେ
ନିତି ଦେଖାହୁଏ ନିଘୋଡ଼ ସ୍ୱପ୍ନରେ,
ମୁଣ୍ଡ ପାଖେ ବସି ଆଉଁସି ଦେଉଛ
ନିଦ୍ରା ଭାଙ୍ଗେ ଯେବେ ପ୍ରତି ପ୍ରହରରେ
କାହିଁକି ଆସୁଛ ରାତ୍ରିର ଅନ୍ଧାରେ, ଆସୁନ ଥରେ ଦିବସରେ ।
ହୃଦୟ ବିନା ମୁଁ ଥିଲି ଯେ ନଶ୍ୱର
ତୁମେ ଆସି କଲ ହୃଦୟରେ ଘର,
ଜୀବ ନାହିଁ ଛାଡି ହାତ କେବେ ମୋର
କଥା ଦେଇଛ ହେ ପ୍ରଣୟିନୀ ମୋର
ଏ ଛୋଟ ହୃଦୟଟା ଏବେ କେବଳ ତୁମର ।
ରୂପ ମାଧୁର୍ଯ୍ୟର ବର୍ଷୀୟାନ ସୁନ୍ଦରୀ ତୁମେ
ଲାସ୍ୟମୟୀ ରୂପଲେଖା,
ସଜ ସେଫାଳିର ବାସ୍ନାଭରା ତୁମେ
ମୋ ପ୍ରିୟ ପ୍ରଗଲ୍ଭା ପ୍ରେମିକା
କେବେ ସାଜ ତୁମେ ଶ୍ରାବଣୀ ବଧୂ ତ କେବେ ପୁଣି ବୈଶାଖର କୃଷ୍ଣଚୂଡ଼ା ।
ସ୍ନିଗ୍ଧ ଛଳ ଛଳ ନୟନ ତୁମର
ହସ ଯେ ତୁମ ବିରଳ,
ପାହାଡ଼ି କନ୍ୟାର ହସ ଯେ ତୁମର
ହସିଲେ ଲାଗ ପାରିଜାତ ଫୁଲ...
ପ୍ରତିବିମ୍ବ ନାଚେ ମୋ ମନ ମୁକୁରରେ ଯେମିତି ଫଗୁଣେ ନାଚଇ ଫୁଲ ।

