ମୁଠେ ସମୟ
ମୁଠେ ସମୟ
ମୁଠେ ସମୟ ଭିତରୁ ଗୋଟେ ମୁହୁର୍ତ୍ତକୁ
ମାଗି ଆଣି ସାଇତି ରଖିଛି ତୁମରି ପାଇଁ ।
ସାରିଯାଉଥିବା ବୟସର କିଛି ଆୟୁଷକୁ
ମାଗି ଆଣି ଲୁଚେଇ ରଖିଛି ତୁମରି ପାଇଁ ।
ବିଡାଏ ଖୁସି ଭିତରୁ ଯୋଡ଼ାଏ ଭାଗକୁ
ବାନ୍ଧି ରଖିଚି ଖାସ ତୁମରି ଖୁସି ପାଇଁ ।
ସାଉଁଳିଆ ସକାଳର ସୁନେଲି ସୁରୁଜ କିରଣ ଭିତରୁ
ମେଞ୍ଚେ କଅଁଳିଆ ଖରା ସାଉଁଟିଛି ତୁମ ସ୍ୱାସ୍ଥ୍ୟ ପାଇଁ ।
ପୁଂଜେ ଜଞ୍ଜାଳମୟ ଜୀବନରୁ ଚେନାଏ
କର୍ମ କାଠି ରଖିଛି ତୁମକୁ ଦେବା ପାଇଁ ।
ଆଞ୍ଜୁଳାଏ ଫଗୁଣ ଠାରୁ ପୁଳେ ଅବିର
ଆଣିଛି ତୁମ ଦେହରେ ବୋଳିବା ପାଇଁ ।
ପୂର୍ଣ୍ଣିମାର ଚାନ୍ଦ ଠାରୁ ତା" ଗୋଲ ଆକାରକୁ
ମାଗି ଆଣିଛି ତୁମ ମୁଖର ସୁନ୍ଦରତାର ପାଇଁ ।
ଚଗଲି ମୌସୁମୀଠୁ ଦଲକାଏ ଝଲ୍ସା ପବନ
ଆଣି ରଖିଛି ତୁମ ଓଢଣୀକୁ ଉଡେଇ ନେବା ପାଇଁ ।
ଆଞ୍ଜୁଳାଏ ଶ୍ରାବଣ ଠାରୁ ବୁନ୍ଦାଏ ବର୍ଷାପାଣି
ମାଗି ଆଣି ତୁମେ ଓଳିଏ ଭିଜିବା ପାଇଁ ପାଇଁ ।
କଲ୍ଲୋଳିନୀ ଝରଣା ଠାରୁ ମିଠା ଶବ୍ଦସବୁକୁ
ହରିନେଇଛି ତୁମ ଓଠରୁ ସଙ୍ଗୀତ ଶୁଣିବା ପାଇଁ ।
ସୁବାସିନୀ ଫୁଲଠାରୁ ମଧୁ ଯେତେସବୁ ଅଛି
ଚୋରେଇ ଆଣିଛି ତୁମର ମାଧୁର୍ଯ୍ୟତା ପାଇଁ ।

