ସମୟ ଆଉ ମୁଁ
ସମୟ ଆଉ ମୁଁ
ସମୟର ନଈରେ ମୁଁ ଗୋଟେ
ପଥହୀନ ଯାଯାବର,
ସ୍ରୋତ ଅଛି ଅନେକ ହେଲେ
ମୁଁ ପାଉନାହିଁ କୂଳ ମୋର !
ସମୟର ତରୀରେ ମୁଁ ଗୋଟେ
ଦିଗହୀନ ନାଉରି,
ଲକ୍ଷ୍ୟସ୍ଥଳ ଜଣା ନାହିଁ ହେଲେ
ଚାଲୁଛି ମୁଁ ଆଗକୁ ଆହୁଲା ମାରି !
ସମୟର ଅନ୍ଧକାରେ ମୁଁ ଗୋଟେ
ଦୀପ୍ତିମାନ ମହମବତୀ,
ଆଲୋକ ତ ଦଉଚି ହେଲେ
ସେଇ ଆଲୋକରେ ନିଜକୁ ମୁଁ ମାରୁଛି !
ସମୟର ବିବର୍ତ୍ତନେ ମୁଁ ଗୋଟେ
ମଲାଟ ଥିବା ଖୋଲାବହି,
ଉପର ଫର୍ଦ୍ଦ ଚିକମିକ କରେ ମୋର
ହେଲେ ଭିତର ଫର୍ଦ୍ଦରେ କିଛି ଲେଖାନାହିଁ !
ସମୟର ପରୀକ୍ଷା ଚକ୍ରେ ମୁଁ ଗୋଟେ
ଅଜ୍ଞାନ ପରୀକ୍ଷାର୍ଥୀ,
ପରିସ୍ଥିତିକୁ ବୁଝିପାରେ ହେଲେ
ପାଏନାହିଁ ସମାନତାର ମାପକାଠି !
ସମୟର ଅରଣ୍ୟରେ ମୁଁ ଗୋଟେ
ଲକ୍ଷ୍ୟହୀନ ପଥିକ,
ଚାଲିବାକୁ ଅଛି ମୋତେ ପଥ ବହୁଦୂର
ପଥ ହେଉ ଯେତେ କଷ୍ଟଦାୟକ !
