ତୁମ ପଣତ କାନି
ତୁମ ପଣତ କାନି
ତୁମ ପଣତ କାନି ମୁଁ ହୋଇ ଥାନ୍ତି ଯଦି
ତୁମ ପାଶେ ପାଶେ ରହିଥାନ୍ତି
ତୁମ ଅଙ୍ଗ ସଙ୍ଗ ଲଭି ନିଃସଙ୍ଗ ବେଦନା
ଯା ଲେଉଟି ଯା କହିଥାନ୍ତି ।
ଝୁଲି ପଡୁଥାନ୍ତି କେବେ ଅଝଟରେ
ତୁମେ ତୋଳି ଧରୁଥାନ୍ତ,
ସେନେହ ସଜଡ଼ା ପ୍ରୀତି ଆଳିଙ୍ଗନେ
ଅଙ୍ଗେ ମୁଁ ଜଡ଼ି ଯାଆନ୍ତି ।
କପାଳରୁ ତୁମ ଝାଳ ବିନ୍ଦୁ ବିନ୍ଦୁ
ଉକୁଟି ଆସନ୍ତା ଯେବେ,
ତୁମ ବାମ ହସ୍ତ ମୃଦୁ ସଂଚାଳନେ
ସ୍ବେଦ ସାଉଁଟି ନିଅନ୍ତି ।
ଲାଜେଇ ଯାଆନ୍ତ ଯଦି କେବେ ତୁମେ
ଝଅଟ ଝଅଟ ଯାଇ,
ଲାଜୁଆ ମୁହଁକୁ ଅଳପ ଘୋଡେଇ
ପ୍ରୀତି ଚିତ୍ର ଲେଖି ଥାନ୍ତି ।
ଅକୁହା କଥାକୁ ସହଜେ କହିବା
ଜାଣିଛ ବାଗରେ ତୁମେ,
ଅଳପ କାମୁଡ଼ା ଦାନ୍ତ ଓଠ ତଳୁ
ପ୍ରେମ ପତ୍ର ଲେଖିଥାନ୍ତି ।
ଠଉରେଇ ତୁମ ଠାର ଠାଣି କଥା
ପୀରତି ଅଠାରେ ବୋଳା,
ବିଶି ଆଙ୍ଗୁଳିରେ ଗୋଡେଇ ହୋଇ ମୁଁ
ପୁଣି ଖୋଲି ଯାଉଥାନ୍ତି ।
ଭରା ଭରା ଅଙ୍ଗ ଯଉବନ ଭାଙ୍ଗ
ପୀରତି ତରଙ୍ଗ ଢେଉ,
ଜବର ରେ ଖୋସି ଦିଅନ୍ତ କମରେ
ପୁଣି ମୁଁ ଖସି ଯାଆନ୍ତି
ତୁମ ପଣତ କାନି ମୁଁ ହୋଇଥାନ୍ତି ଯଦି
ପାଶେ ପାଶେ ରହିଥାନ୍ତି ।

