ପାଉଁଶ ତଳର ସ୍ୱପ୍ନ
ପାଉଁଶ ତଳର ସ୍ୱପ୍ନ
ଯାହାର ହାତର କାଉଁରୀ ଛୁଆଁରେ
ଚେଇଁ ଉଠେ ମନ,
ଯା ମୁଖ ଦର୍ଶନେ ଭାଙ୍ଗିଯାଏ
ମୋରସବୁ ଅଭିମାନ,
ଯାର ନୀଳଆଖି ଦେଖିଖୋଲେ
ମୋର ରହସ୍ୟ ଗୋପନ
ସେଇ ତ ମୋ
ପାଉଁଶ ତଳର ସ୍ୱପ୍ନ ।
ଯିଏ ଢାଳେ ଅକାତରେ ସ୍ନେହସୁଧା
ପ୍ରତି ପ୍ରଭାତରେ,
ଯିଏ ନିଶିଗନ୍ଧା ସାଜି ଘାରେ ନିଜ
ନୟନପତାରେ
ଯିଏ ଅଳି କରେ ଦେଖିବାକୁ ଟିକେ
ତା ହୃଦର ଧନ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯା ଗୀତରେ ପାଲଟିଯାଏ ମୁଁ ଏକା
ନୀରବ ପ୍ରେମିକ,
ସିଏ ମୋର ପ୍ରିୟତମା ଅନୁପମା
ମୁଁ ଦଗ୍ଧ ପ୍ରଦୀପ,
କବିର କଳ୍ପନା ବିବସ୍ତ୍ର ଜୋଚ୍ଛନା
ଆକାଶର ଜହ୍ନ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯିଏ କାନ ମୋଡି କରି ଥାଏ ସଦା
ମୋତେ ସାବଧାନ,
ଯିଏବନ୍ଦପ୍ରକୋଷ୍ଠରେ ଖୋଜେରାତି
ପାଶୋରିକି ଦିନ,
ଯାର ଗୋଲାପ ସୁବାସେ ତନୁଲତା
ଖୋଲିଲେ ବସନ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯା ଚିତ୍ରିତ ଅଭିଳାଷେ ସଞ୍ଜନଇଁ
ଆସେ ଧରା ତଳେ,
ମତୁଆଲା ପବନର କାନି ଉଡେ
ତୋଟାର ଗହଳେ ,
ଶଦ୍ଦର ଆୟୁଷ ଜୀବନ୍ୟାସ ମାଗେ
କରି ଅଗ୍ନିସ୍ନାନ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯାର ଉଷ୍ମ ଚୁମ୍ବନରେ ଶିହରିତ
ହୃଦବୃନ୍ଦାବନ,
ଯାର ମୁହଁ ଦେଖି ଲାଜ ଲାଜ ହୁଏ
ପୁନେଇଁର ଜହ୍ନ,
ଯାର ସ୍ପର୍ଶ ଲୋଡ଼େ ସଦା ତୃଷାତୁର
ପ୍ରାଣ ଅନୁକ୍ଷଣ,
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯିଏ ଖୋଜି ଖୋଜି ଦେଇଛି
ହଜାଇ ନିଜର ଠିକଣା,
ଯିଏ ନିଜ ଲାଗି ହୋଇଛି ସଜାଇ
ଗୋଟିଏ ଖେଳଣା ,
ଯିଏ ସଢିଯାଏ କର୍ତ୍ତବ୍ୟ ପଥରେ
ଧରମ ପାଳନ଼.
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯାହାର ସ୍ମୃତିକୁ ନହେବ ପାଶୋରି
ହେଲେ ଆତ୍ମଲୀନ,
ଯାହାର ଚାହାଣୀ କଅଁଳେ ପତର
କୋମଳ ବଚନ,
ଯାର ଲାଗି ନିତି ଲେଖେ ମୁଁ କବିତା
ପ୍ରେମେ ହୋଇ.ମଗ୍ନ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯାହାକୁ ରଖିଛି ମନରେ ଲୁଚାଇ
ସୁନା ଫରୁଆରେ ,
ଯାହାକୁ କରିଛି ହୃଦୟ ପୁରର
ରାଣୀ ଗୋପନରେ ,
ଯାହାକୁ କରିବି ପ୍ରତୀକ୍ଷା ନୀରବେ
ମଣି ନିଜକୁ ଧନ୍ୟ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।
ଯିଏ ମୋ ହୃଦରେ ପ୍ରଭାତ ବନ୍ଦନା
ଗାଏ ନିରନ୍ତର
ଯିଏ ମୋ ପ୍ରାଣର ଶ୍ରାବଣ ବରଷା
ଭିଜାଏ ଶରୀର
ଯିଏ ମୋର ଦେହ ଅଦୃଶ୍ୟ ଛାଇଟେ
ତା ବିନା ମୁଁ ଶୂନ୍ୟ
ସେ ପରା ମୋ
ପାଉଁଶ ତଳର ସ୍ୱପ୍ନ ।